ନବରଙ୍ଗପୁର – ନିଜକୁ ଡ଼େପୁଟି ଡ଼୍ରଗ୍ସ କଂଟ୍ରୋଲର୍ ବୋଲି ପରିଚୟ ଦେଇ ଏକ ହୋମିଓ କ୍ଲିନିକ୍ ମାଲିକଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛି ଜଣେ ବ୍ୟକ୍ତି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଥିବା ନିରାମୟ ହୋମିଓ କ୍ଲିନିକ୍ ରୁ ।
ଅଭିଯୋଗ ମୁତାବକ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଜଣେ ବ୍ୟକ୍ତି ହଠାତ୍ ନିରାମୟ ହୋମିଓ କ୍ଲିନିକ୍ ରେ ପହଂଚିଥିଲେ । ସେ ନିଜକୁ ଭୁବନେଶ୍ୱରର ଡ୍ରଗ୍ସ କଂଟ୍ରୋଲର ଭାବେ ପରିଚୟ ଦେଇଥିଲେ । ପରେ କ୍ଲିନିକ୍ ରେ ବହୁ ଅନିୟମିତତା ହେଉଥିବା ଦର୍ଶାଇ ଏହାର ମାଲିକଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା କରିଥିଲେ । ଏଥିସହ କ୍ଲିନିକ୍ ମାଲିକ ଡାକ୍ତର ପଂଚାନନ ମିଶ୍ରଙ୍କୁ ବିଭିନ୍ନ ଧମକ ଚମକ ଦେଇଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଲକ୍ଷେ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲା । ନକଲି ଡ଼୍ରଗ୍ସ ଅଫିସରଙ୍କ ଏ ସମସ୍ତ କଳା କାରନାମା କ୍ଲିନିକ୍ ରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି । ଏନେଇ କ୍ଲିନିକ୍ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ କୁ ପୋଲିସ ତନ୍ନ ତନ୍ନ କରି ଯାଂଚ୍ କରୁଛି । ଏଥିରୁ ସମ୍ପୃକ୍ତ ନକଲି ଅଧିକାରୀ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି ପୋଲିସ ଆଶା କରୁଛି ।