-
ଗୁଜୁରାଟର ଭାଲସାଦର ଧରମପୁରରେ ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟର ଭାଲସାଦ ଜିଲ୍ଲାର ଧରମପୁର ଠାରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନ୍ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତରଖାନା ପ୍ରକଳ୍ପ ମହିଳା ତଥା ସମାଜର ଅନ୍ୟାନ୍ୟ ଅଭାବୀ ବର୍ଗଙ୍କ ପାଇଁ ମହତ୍ୱପୂର୍ଣ୍ଣ ସେବା ଯୋଗାଇବ । ସେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନର ନିରବ ସେବାର ଆବେଗକୁ ପ୍ରଶଂସା କରିଥିଲେ ।
ମିଶନ୍ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ସେମାନଙ୍କର ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଆଜିର ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏହି କର୍ତ୍ତବ୍ୟର ଆବେଗ ହେଉଛି ସମୟର ଆବଶ୍ୟକତା । ଗୁଜୁରାଟର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂଜ୍ୟ ଗୁରୁଦେବଙ୍କ ନେତୃତ୍ୱରେ ଶ୍ରୀମଦ୍ ରାଜଚନ୍ଦ୍ର ମିଶନ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଗରିବଙ୍କ ସେବା ପ୍ରତି ମିଶନର ପ୍ରତିବଦ୍ଧତା ନୂତନ ଡାକ୍ତରଖାନା ଦ୍ୱାରା ଦୃଢ ହୋଇଛି । ଏହି ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ସମସ୍ତଙ୍କ ପାଇଁ ସୁଲଭ ଗୁଣବତ୍ତା ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବ । ଏହା ‘ଅମୃତ କାଳ’ରେ ଏକ ସୁସ୍ଥ ଭାରତର ଲକ୍ଷ୍ୟକୁ ଶକ୍ତି ପ୍ରଦାନ କରିବାକୁ ଯାଉଛି । ଏହା ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସବକା ପ୍ରୟାସ (ସମସ୍ତଙ୍କ ଉଦ୍ୟମ) ର ଆବେଗକୁ ମଜବୁତ କରେ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଆଜାଦୀ କା ଅମୃତ ମହୋତ୍ସବରେ ଦେଶ ନିଜ ପିଲାମାନଙ୍କୁ ମନେ ରଖିଛି, ଯେଉଁମାନେ ଭାରତକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ଶ୍ରୀମଦ୍ ରାଜଚନ୍ଦ୍ର ଜୀ ଏପରି ଜଣେ ସାଧୁ ଥିଲେ ଯାହାଙ୍କର ମହାନ ଅବଦାନ ଏହି ଦେଶର ଇତିହାସର ଏକ ଅଂଶ । ସେ ଶ୍ରୀମଦ୍ ରାଜଚନ୍ଦ୍ର ଜୀଙ୍କ ପାଇଁ ମହାତ୍ମା ଗାନ୍ଧୀଙ୍କ ପ୍ରଶଂସା ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ । ଶ୍ରୀମଦ କାର୍ଯ୍ୟ ଜାରି ରଖିଥିବାରୁ ସେ ଶ୍ରୀ ରାକେଶ ଜୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ବ୍ୟକ୍ତି ଯେଉଁମାନେ ନିଜ ଜୀବନକୁ ମହିଳା, ଆଦିବାସୀ ତଥା ବଞ୍ଚିତ ବର୍ଗର ସଶକ୍ତିକରଣ ପାଇଁ ଉତ୍ସର୍ଗ କରିଛନ୍ତି ସେମାନେ ଦେଶର ଚେତନାକୁ ବଞ୍ଚାଇ ରଖିଛନ୍ତି । ମହିଳାମାନଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଆକାରରେ ଏକ ବଡ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶ୍ରୀମଦ୍ ରାଜଚନ୍ଦ୍ର ଜୀ ଶିକ୍ଷା ଏବଂ କୌଶଳ ମାଧ୍ୟମରେ ଝିଅମାନଙ୍କର ସଶକ୍ତିକରଣ ଉପରେ ଅତ୍ୟଧିକ ଗୁରୁତ୍ୱ ଦେଉଥିଲେ । ଖୁବ୍ କମ୍ ବୟସରେ ମହିଳା ସଶକ୍ତିକରଣ ବିଷୟରେ ଶ୍ରୀମଦ୍ ଆନ୍ତରିକତାର ସହ କହିଥିଲେ । ଆଜାଦୀ କା ଅମୃତ ମହୋତ୍ସବରେ ଜାତୀୟ ଶକ୍ତି ଆକାରରେ ଦେଶରେ ମହିଳା ଶକ୍ତିକୁ ସାମ୍ନାକୁ ଆଣିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ କେନ୍ଦ୍ର ସରକାର ଭଉଣୀ ଓ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇବାକୁ ଚେଷ୍ଟା କରୁଛନ୍ତି, ଯାହା ସେମାନଙ୍କୁ ଆଗକୁ ବଢିବାରେ ପ୍ରତିବନ୍ଧକ ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆଜି ଭାରତ ଅନୁସରଣ କରୁଥିବା ସ୍ୱାସ୍ଥ୍ୟ ନୀତି ଆମ ଆଖପାଖରେ ଥିବା ପ୍ରତ୍ୟେକ ଜୀବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ । ଭାରତ କେବଳ ମାନବଙ୍କ ପାଇଁ ନୁହେଁ ପଶୁମାନଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଚଳାଉଛି ।
ପ୍ରକଳ୍ପ ବିଷୟରେ
ଭାଲସାଦର ଧରମପୁରରେ ଥିବା ଶ୍ରୀମଦ୍ ରାଜଚନ୍ଦ୍ର ଡାକ୍ତରଖାନାର ପ୍ରକଳ୍ପ ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା । ଏହା ଏକ ୨୫୦ ଶଯ୍ୟା ବିଶିଷ୍ଟ ବହୁମୁଖୀ ଡାକ୍ତରଖାନା ଯାହାକି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ ବିଶ୍ୱ ସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବ, ବିଶେଷ କରି ଦକ୍ଷିଣ ଗୁଜୁରାଟ ଅଞ୍ଚଳର ଲୋକଙ୍କୁ ।
ଶ୍ରୀମଦ୍ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟ ୧୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେବାକୁ ଯାଉଛି ଏବଂ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଏହା ର୍ନିମାଣ କରାଯିବ । ଏହା ଶୀର୍ଷ ଶ୍ରେଣୀର ସୁବିଧା ଏବଂ ପ୍ରାଣୀ ଚିକିତ୍ସକ ଏବଂ ଆନୁଷଙ୍ଗିକ କର୍ମଚାରୀଙ୍କର ଏକ ଉତ୍ସର୍ଗୀକୃତ ଦଳ ସହିତ କାର୍ଯ୍ୟ କରିବ । ପଶୁମାନଙ୍କର ଯତ୍ନ ଏବଂ ରକ୍ଷଣାବେକ୍ଷଣ ପାଇଁ ପାରମ୍ପାରିକ ଔଷଧ ସହିତ ଡାକ୍ତରଖାନା ସାମଗ୍ରିକ ଚିକିତ୍ସା ସେବା ଯୋଗାଇବ ।
ମହିଳାମାନଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ର ଆନୁମାନିକ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏଥିରେ ମନୋରଞ୍ଜନ ପାଇଁ ସୁବିଧା, ଆତ୍ମ-ବିକାଶ ଅଧିବେଶନ ପାଇଁ ଶ୍ରେଣୀଗୃହ ଏବଂ ବିଶ୍ରାମ ସ୍ଥାନ ଆଦି ରହିବ । ଏହା ୭୦୦ ରୁ ଅଧିକ ଆଦିବାସୀ ମହିଳାଙ୍କୁ ନିୟୋଜିତ କରିବ ଏବଂ ପରବର୍ତ୍ତୀ ସମୟରେ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇବ ।