-
କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ
-
ସ୍ମିତାରାଣୀ ହତ୍ୟା ମାମଲାରେ କହିବାକୁ ଅନୁମତି ଦେଉ ନ ଥିବା ଅଭିଯୋଗ
ଭୁୁବନେଶ୍ୱର – ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିବସରେ ମଧ୍ୟ ଗତ କାଲି ଭଳି ବିରୋଧୀ ବିଜେପିର ବିଧାୟକ ମାନଙ୍କର ଅନୁପସ୍ଥିତିରେ ଗୃହ କାର୍ଯ୍ୟ ସ୍ୱାଭବିକ ଭାବେ ଚାଲିଥିଲା ବୈଠକ ଆରମ୍ଭରୁ ବିଜେପି ବିଧାୟକ ମାନେ କଳା ପଟି ମୁହଁରେ ବାନ୍ଧି କିଛି ସମୟ ନିଜ ନିଜ ଆସନରେ ଠିଆ ହେବା ଓ ବାଚସ୍ପତି ତାଙ୍କୁ ବସିବା ପାଇଁ ଅନୁରୋଧ କରିବା ପରେ ବାଚସ୍ପତି ତାଙ୍କୁ ସ୍ମୀତାରାଣୀ ମାମଲାରେ କିଛି କହିବାକୁ ଅନୁମତି ଦେଉ ନଥିବା ଅଭିଯୋଗ କରି କକ୍ଷତ୍ୟାଗ କରିବା ସହ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ବସିଥିବାର ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ବିଜେପି ବିଧାୟକ ମାନଙ୍କର କକ୍ଷତ୍ୟାଗ ପରେ ଗୃହ କାର୍ଯ୍ୟ ସ୍ୱାଭବିକ ଭାବେ ଚାଲିଥିଲା । ଗୃହରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ପୁସ୍ତିକାରେ ତାଙ୍କର ମୃତ୍ୟୁକୁ ନେଇ ବିବାଦୀୟ ତଥ୍ୟ ସମ୍ପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ବିବୃତି ରଖିଥିଲୋ ଏହା ସହ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ନୋଟିସ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ଶନିବାର ଦିନ ନିର୍ଧାରିତ ସମୟ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନୋତର କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କର ପ୍ରଶ୍ନର ଉତର ଦେବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁକୁ ଡାକିଥିଲେ । ଅନ୍ୟ ପକ୍ଷରେ ବିଜେପି ବିଧାୟକ ମାନେ ଶୁକ୍ରବାର ପରି ମୁହଁରେ କଳାପଟି ପିନ୍ଧି ନିଜ ନିଜ ଆସନରେ ଠିଆ ହୋଇଥିଲେ । ବାଚସ୍ପତି ଶ୍ରୀ ପାତ୍ର ବିଜେପି ଦଳର ବିଧାୟକ ମାନଙ୍କୁ ସେମାନଙ୍କ ଆସନରେ ବସି ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ମାତ୍ର ବିଜେପି ବିଧାୟକ ମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା ଓ ସେମାନେ ନିଜ ନିଜ ଆସନରେ ଠିଆ ହୋଇ ରହିଥିଲେ । କିଛି ସମୟ ପରେ ପୁଣି ଥରେ ବାଚସ୍ପତି ଶ୍ରୀ ପାତ୍ର ବିଜେପି ବିଧାୟକଙ୍କୁ ନିଜ ଆସନରେ ବସିବାକୁ ଅନୁରୋଧ କରିଥିଲେ । ବିଜେପି ବିଧାୟକ ଦଳର ଉପ ନେତା ବିଷ୍ଣୁ ସେଠୀ ବାଚସ୍ପତିଙ୍କୁ କହିଥିଲେ ଯେ ଗତକାଲି ତାଙ୍କର ଅନୁରୋଧ କ୍ରମେ ବିଜେପି ବିଧାୟକ ମାନେ ଆସନରେ ବସିଥିଲେ । ମାତ୍ର ଏହା ସତ୍ୱେ ବିଜେପି ବିଧାୟକ ମାନଙ୍କୁ ସ୍ମିତାରାଣୀ ହତ୍ୟା ମାମଲାରେ କହିବାକୁ ଅନୁମତି ଦିଆ ଯାଇ ନ ଥିଲା । ତେଣୁ ବିଜେପି ବିଧାୟକ ମାନେ ଏହାର ପ୍ରତିବାଦ କରୁଛନ୍ତି । ଏବେ ମଧ୍ୟ ବିଜେପି ବିଧାୟକ ମାନଙ୍କୁ ସ୍ମୀତାରାଣୀ ହତ୍ୟା ମାମଲାରେ କିଛି କହିବାକୁ ଦିଆ ଯାଉ ନାହିଁ । ତେଣୁ ଏହାର ପ୍ରତିବାଦରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରି ଗାନ୍ଧୀଜୀଙ୍କ ମୂର୍ତି ସମ୍ମୁଖରେ ଧାରଣା ଦେବେ । ଏହା କହିବା ପରେ ବିଜେପି ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ।