ଭୁବନେଶ୍ୱର, କଟକ ସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଓଲିଉଡର ଅଭିନେତା ବାବୁସାନ୍ ମହାନ୍ତିଙ୍କ ଆଗୁଆ ଜାମିନ ଶୁଣାଣିରେ ଅନ୍ତ ଘଟିଛି । ସେ ଜାଂଚରେ ସହଯୋଗ କରୁଥିବାରୁ ତାଙ୍କୁ ଗିରଫ କରାଯିବ ବୋଲି କୋର୍ଟ ମନେ କରି ନାହାନ୍ତି । ତେଣୁ ଆଗୁଆ ଜାମିନ ଆବେଦନର ଆବଶ୍ୟକତା ନ ଥିବା କୋର୍ଟ ହୃଦବୋଧ କରିଛନ୍ତି । କୋର୍ଟରେ ସରକାରୀ ଓକିଲ ଓ ବାବୁ ସାନଙ୍କ ଓକିଲ ଉଭୟ ଜଣାଇଥଲେ ଯେ ସେ ଜାଂଚରେ ସହଯୋଗ କରୁଛନ୍ତି । ଏହା ପରେ କୋର୍ଟ ଏହି ଆବେଦନର ଅନ୍ତ ଘଟାଇଛନ୍ତି । ବାବୁସାନଙ୍କ ଓକିଲ ଧରଣୀଧର ନାୟକ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଅଭିନେତା ବାବୁସାନ୍ ମହାନ୍ତି ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ମାସ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଭୁବନେଶ୍ବର ବିମାନବନ୍ଦରକୁ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କୁ ମାରିବା ସହ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ମାମଲା ଆଗକୁ ବଢ଼ିଥିଲା। ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ନାମରେ ଥାନାରେ ଏତଲା ଦେଲା ପରେ ତୃପ୍ତି ମଧ୍ୟ ଭୁବନେଶ୍ବରସ୍ଥିତ ଖାରବେଳ ନଗର ଥାନାରେ ଏତଲା ପ୍ରକୃତିଙ୍କ ବିରୋଧରେ ଏତଲା ଦେଇଥିଲେ। ତୃପ୍ତିଙ୍କ ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରିଥିଲା।