
ଜୟପୁର, ଜୟପୁର ଶ୍ରମିକ କର୍ମଚାରୀ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜୟପୁର ଜୋନ୍ ର ସମ୍ମିଳନୀ ସତ୍ୟବ୍ରତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପୂର୍ବରୁ କମ୍ୟୁନିଷ୍ଟ ପାର୍ଟି ର ଝଣ୍ଡା ଯୁଧିଷ୍ଟିର ରାଉଳ ଉତ୍ତୋଳନ କରିଥିଲେ । ସଭାକୁ ସମ୍ବୋଧିତ କରି ସିପିଆଇ ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ପ୍ରମୋଦ ମହାନ୍ତି କହିଥିଲେ ଯେ ଅଛେ ଦିନର ମିଥ୍ୟା ଭେଳିକି ଦେଖେଇ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ର ରେ କ୍ଷମତା ଦଖଲ ପରେ ପ୍ରତ୍ୟେକ କ୍ଷେତ୍ରରେ ଜନସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛି । ବେକାରୀ ସମସ୍ୟା ବଢିବା ସହ ନିଯୁକ୍ତି ହ୍ରାସ ପାଉଛି, ଦରଦାମ୍ ବୃଦ୍ଧି ଅସହ୍ୟ, ରନ୍ଧନ ଗ୍ୟାସ,ପେଟ୍ରୋଲ, ଡିଜେଲ ଦର ଅତ୍ୟଧିକ ବୃଦ୍ଧି ଦରବୃଦ୍ଧି କୁ ବହୁଗୁଣିତ କରିିଛି । ଜନସାଧାରଣ ଙ୍କ ଠାରୁ ବିଭିନ୍ନ ବାଟରେ ଟିକସ ନିଆଯାଉଛି । ସାମ୍ବିଧାନିକ ସଂସ୍ଥା ଗୁଡ଼ିକର ଅପବ୍ୟବହାର କରି ବିରୋଧୀ ଦଳ ମାନଙ୍କ ବିରୁଦ୍ଧରେ ଅସ୍ତ୍ର ରୂପେ ବ୍ୟବହାର କରାଯାଉଛି । ଓଡ଼ିଶାର ଯୁବକ ଦାଦନ ଖଟିବାକୁ ଯାଉଥିବା ବେଳେ ଆଜି ବି ସ୍ୱଚ୍ଛ ପିଇବା ପାଣି ମିଳୁନାହିଁ ଯେଉଁଥିପାଇଁକି ହଇଜାରେ ଲୋକ ମରୁଛନ୍ତି । ଜନସାଧାରଣ ଙ୍କ ସମସ୍ୟା ନେଇ ଗଣ ଆନ୍ଦୋଳନ କୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସହ ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ସାଂଗଠନିକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ।ସଭାରେ ଜୟପୁର ଜୋନ୍ ପାଇଁ ଏକ ସାତଜଣିଆ କମିଟି ସର୍ବଶ୍ରୀ ସତ୍ୟବ୍ରତ ନନ୍ଦ,ନନ୍ଦ ହରିଜନ,ସନ୍ୟାସୀ ମାଳୀ,କେଶବ ନାଗ,ମାଧବ ନାୟକ,ସୀମାଞ୍ଚଳ ନାୟକ, ନିତ୍ୟାନନ୍ଦ ପାତ୍ର, ପ୍ରମୁଖ ଙ୍କୁ ନେଇ ଗଠନ କରାଯାଇଛି । ଶ୍ରୀ ସତ୍ୟବ୍ରତ ନନ୍ଦ ସମ୍ପାଦକ ଓ ସନ୍ୟାସୀ ମାଳୀ ସହ ସମ୍ପାଦକ ଭାବେ ସଂଗଠନ ଦାୟିତ୍ୱ ବହନ କରିଛନ୍ତି ।