କେନ୍ଦୁଝର – ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ପ୍ରଧାନଶିକ୍ଷକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମାମଲାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଣେଶ୍ୱର ପାତ୍ରଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଗତକାଲି ନିଲମ୍ବନ କରାଯାଇଥିବା ବେଳେ ଆଜି ପୋଲିସ ତାଙ୍କୁ ଗିରଫ କରିଛି ।
ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ଏଠାରେ ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ପିଲା ପାଠ ପଢନ୍ତି । ଏଥିସହ ହଷ୍ଟେଲରେ ପାଖାପାଖି ୫୦ ଜଣ ଛାତ୍ରୀ ରୁହନ୍ତି । ହେଲେ ପ୍ରଧାନଶିକ୍ଷକ ବାଣେଶ୍ୱର ସେମାନଙ୍କୁ ସୁରକ୍ଷା ଯୋଗାଇବା ବଦଳରେ ଅନେକ ସମୟରେ ଅସଦାଚରଣ କରି ଆସୁଥିଲେ । କେବଳ ସେତିକି ନୁହେଁ ପାଠ ପଢାଇବା ବଦଳରେ ସେମାନଙ୍କୁ ସ୍କୁଲ୍ ଓ ହଷ୍ଟେଲ୍ କ୍ୟାମ୍ପସ୍ ରେ ଶ୍ରମିକ ଭଳି କାର୍ଯ୍ୟରେ ନିୟୋଜିତ କରୁଥିବା ପିଲାମାନେ ଅଭିଯୋଗ ଆଣିଛନ୍ତି । ଗତ ଶନିବାର ରାତିରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ମଦ୍ୟପ ଅବସ୍ଥାରେ ହଷ୍ଟେଲ୍ ରେ ଝିଅମାନଙ୍କୁ ଟଣାଓଟରା କରିଥିଲେ । ଏନେଇ ଅବିଭାବକ ମାନଙ୍କ ପକ୍ଷରୁ ଯୋଡ଼ା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଜିଲ୍ଲା ଶିକ୍ଷା ବିଭାଗ ଘଟଣାକୁ ଗୁରୁତ୍ୱର ସହ ନେବା ସହ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଦର୍ଶାଇ ଗତକାଲି ପ୍ରଧାନଶିକ୍ଷକ ବାଣେଶ୍ୱରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ।