ଭୁବନେଶ୍ୱର, ନାବାଳିକାଙ୍କୁ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ଓଲିଉଡର ହାସ୍ୟାଭିନେତା ପପୁ ପମ୍ପମ୍ ବା ତତ୍ୱ ପ୍ରକାଶ ଶତପଥୀ ।୬ ବର୍ଷ ତଳୁ ଭୁବନେଶ୍ୱରର ଜଣେ ନାବାଳିକା ପପୁଙ୍କ ବିରୋଧରେ ଅଭିନୟ କରିବା ଆଳରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିଲେ । ପପୁ ଙ୍କ ସହ ତାଙ୍କ ସହଯୋଗୀ ଗିଟୁ ମଧ୍ୟ ଏହି ମାମଲରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।
ଏନେଇ ପପୁ ପମ୍ପମ୍ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା । ପ୍ରାୟ ୪୩ ଦିନ ଜେଲ୍ ରେ ରହିଲା ପରେ ହାଇକୋର୍ଟରୁ ବେଲ୍ ରେ ବାହାରିଲି । ଅକାରଣରେ ବହୁ କଷ୍ଟ, ନିର୍ଯାତନା ପାଇଥିଲି । ସୋଶାଲ ମିଡିଆରେ ଏହାକୁ ନେଇ ମୋତେ ଖୁବ୍ ଟ୍ରୋଲ କରାଗଲା । ହେଲେ ଶେଷରେ ନ୍ୟାୟର ବିଜୟ ହୋଇଛି । ହେଲେ ଏହାଦ୍ୱାରା ମୋ ଫିଲ୍ମ କ୍ୟାରିଅର ଓ ରାଜନୈତିକ କ୍ୟାରିଅର ଖୁବ୍ ମାତ୍ରାରେ ପ୍ରଭାବିତ ହୋଇଛି । ପୀଡ଼ିତା ଜଣକ ଏଫଆଇଆର ଦେଇ ନ ଥିବା କହିଥିଲେ । କେବଳ ସାଧା କାଗଜରେ ଦସ୍ତଖତ ନେଇଥିବା କହିଥିଲେ । ତେଣୁ କିଏ ଏହା ପଛରେ ଅଛି ତାହାର ତଦନ୍ତ ହେବା ଆବଶ୍ୟକ । ଆସନ୍ତା କିଛି ଦିନ ଭିତରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସ୍ଥିର କରିବି ।
ନିର୍ଦ୍ଦୋଷରେ ଖଲାସ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପପୁ କହିଛନ୍ତି ଯେ ମୋ ବିରୋଧରେ ଅଭିଯୋଗ ମିଛ ଥିଲ । ପୋଲିସ ପ୍ରେସରରେ ଗିରଫ କରିଥିଲା । ଥାନାରେ ଏତଲା ପରେ ମୋ ଘରେ ୭ ଦିନିଆ ନୋଟିସ ଦେଲେ । ଏହା ସତ୍ୱେ ମୋତେ ଦିନକ ପରେ ଗିରଫ କଲେ । ମୁଁ ଏକଥା ଡିଜିଙ୍କୁ ପଚାରିଲି ଯେ ମୋତେ କାହିଁକି ଗିରଫ କଲେ । ଡିଜି କହିଲେ ଆମ ଉପରେ ପ୍ରେସର ଥିଲା । ଝିଅର ଅଭିଯୋଗ, ଏତଲାକାରୀ, ଭୁଲ୍ ଖବରକୁ ତର୍ଜମା କରିବି । ୩ଟି ଦିଗକୁ ତର୍ଜମା କରି ଓକିଲ ପରାମର୍ଶ କରି କେସ୍ କରିବି ବୋଲି କହିଛନ୍ତି ପପୁ ।
୨୦୧୬ ମସିହାରେ ଫିଲ୍ମରେ ଏଂଟ୍ରି କରାଇଦେବାକୁ କହି ପପୁ ପମ୍ପମ୍ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା । ଏପରି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍ପମ୍ଙ୍କ ସମେତ ତାଙ୍କ ସହଯୋଗୀ ଗିଟୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୋଲିସ୍ । ଏହାପରେ ସେ ଜାମିନରେ ବାହାରିଥିଲେ ।ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ପୋକ୍ସୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା । ଦୀର୍ଘ ୬ ବର୍ଷ ପରେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପୁ ପମପମ୍ । ପୀଡ଼ିତାଜଣକ ନିଜ ଅଭିଯୋଗରୁ ଓହରି ଯାଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପପୁଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଜଣାଯାଇଛି ।