ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ନଭେମ୍ବର ୧୬: ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ । ତେଣୁ ଯେଉଁ ସମାଜ ଶିକ୍ଷାକୁ ଯେତେ ଗୁରୁତ୍ୱ ଦେବ, ତାହା ଏକବିଂଶ ଶତାବ୍ଦୀରେ ସେତେ ଅଧିକ ସଫଳତା ହାସଲ କରିବ ବୋଲି ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା ହିଁ ଓଡିଶାର ମୂଳ ପୁଞ୍ଜି । ସମାଜ ଆଗକୁ ସେତେବେଳେ ବଢେ ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ । ଆଜିର ସମାଜରେ ଆମେ ନିଜର ଅଧିକାର ପ୍ରତି ଯେତେ ସଚେତନ, ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ରହିବା ଦରକାର ବୋଲି ସେ କହିଛନ୍ତି । ସେହିପରି ଏହି ସ୍କୁଲରେ ପାଠ ପଢି ଯାଇଥିବା ପୁରାତନ ଛାତ୍ର ସଂଘର ସଦସ୍ୟ ମାନେ ନିଜେ ସ୍କୁଲର ଉନ୍ନତି ପାଇଁ କିଛି ଯୋଗଦାନ କରିବା ନେଇ ସେ ପରାମର୍ଶ ଦେଇଥିଲେ ।
ସେ କହିଛନ୍ତି ଯେ, ୨୦୧୩ରେ ରାଜ୍ୟ ସରକାର ଏହି ସ୍କୁଲର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନେଇଥିଲେ । ଯେଉଁ ସ୍କୁଲର ଦାୟିତ୍ୱ ସରକାର ୨୦୧୩ ମସିହାରେ ନେଲେ, ସେହି ସ୍କୁଲର ଦାୟିତ୍ୱ ଲକ୍ଷ୍ମୀସାଗର ଅଂଚଳର କିଛି ଉଦ୍ୟୋକ୍ତା ମାନେ ୧୯୬୯ ମସିହାରୁ ନେଇ ଆସୁଥିଲେ । ସାମାଜିକ ଦାୟିତ୍ୱବୋଧର ଏହା ଗୋଟିଏ ଉଦାହରଣ ବୋଲି ଶ୍ରୀ ପ୍ରଧାନ ପରିପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଆଜିର କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ସ୍ମୃତି ସ୍ତମ୍ଭ ଉନ୍ମୋଚନ କରିବା ସହ ସ୍କୁଲ ପରିସରରେ ଥିବା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।