ପୁରୀ, ସୋମବାର ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଖସାପଡା ନୀତି ଅନୁଷ୍ଠିତ ହେବ । ଏହା ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏଥିପାଇଁ ଅପରାହ୍ନ ୪ଟା ରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ ବନ୍ଦ ରହିବ ।
ଖସାପଡା ନୀତି ଶ୍ରୀ ଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଅନୁଷ୍ଠିତ ହୋଇଥାଏ । ଶ୍ରୀପୟର ସୁରକ୍ଷା ପାଇଁ ଧଳା କନା ଘୋଡାଇ ଦିଆଯିବ । ଏହି ଧଳାକନାକୁ ଦେଉଳକରଣ ସେବକ ପୂର୍ବଦିନ ଧୋଇ ଶୁଖାଇ ଶ୍ରୀମନ୍ଦିର ଗାରଦରେ ଜମା ଦେଇଥିଲେ । ଶୁଦ୍ଧ ସୁଆର ସେବକ ମାନେ ଖଳି ଓ କଇଁଥ ଅଠା ଯୋଗାଇବେ । ଦ୍ଵିତୀୟ ଭୋଗମଣ୍ଡପ ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ଵାର ବନ୍ଦ ହେବ । ବେହରଣ ଦ୍ଵାର ଦେଇ ଦଇତାପତି ସେବାୟତ ମାନେ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିବା ସହ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମାପନ କରିବେ ।
ଏହି ନୀତି ରଥଯାତ୍ରା ପରେ, ହୋଲି ପରେ, ଓ ଅନ୍ୟ ତିଥିରେ ଅନୁଷ୍ଠିତ ହୋଇଥାଏ । ଖସାପଡ଼ା ନୀତି ସମାପନ ପରେ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ।