-
ଗୃହ ବାରମ୍ବାର ମୁଲତବୀ, ସର୍ବଦଳୀୟ ବୈଠକ ମଧ୍ୟ ହେଲା ବିଫଳ
ଭୁୁବନେଶ୍ୱର. ଚିଟ ଫଣ୍ଡ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ପାଇଁ ବାଚସ୍ପତି ଅନୁମତି ନ ଦେବା ପ୍ରସଙ୍ଗରେ ବିଜେପି ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ବିଧାନସଭାର ପ୍ରଥମାର୍ଧ ବୈଠକକୁ ବାରମ୍ବାର ସ୍ଥଗିତ କରିବାକୁ ପଡିଛି । ଏହି କାରଣରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।
ଗୃହ କାର୍ଯ୍ୟ ୧୦.୩୦ରେ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ ହୋଇଥିଲା । ବାଚସ୍ପତି ବିକ୍ରମ କେଶରୀ ଆରୁଖ ରାଜ୍ୟର ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀଙ୍କୁ ବିଧାୟକ ଧୃବ ସାହୁଙ୍କ ଏକ ପ୍ରଶ୍ନର ଉତର ଦେବାକୁ ଡାକିଥିଲେ । ଅର୍ଥ ମନ୍ତ୍ରୀ ଏହାର ଉତର ପଢିବା ଆରମ୍ଭ କରିଥିଲେ । ତେବେ ବିଜେପି ବିଧାୟକ ମାନେ ଚିଟ ଫଣ୍ଡ ପ୍ରସଙ୍ଗରେ ଆଲୋଚନା ପାଇଁ ଆଣିଥିବା ମୁଲତବୀ ପ୍ରସ୍ତାବକୁ
ବାଚସ୍ପତି ଆଲୋଚନା ପାଇଁ ଅନୁମତି ନ ଦେବା ପ୍ରତିବାଦରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ କରିବା ଦେଖା ଯାଇଥିଲା । ସେମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ ।
ୂୂବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ସେମାନେ ଯେଉଁ ପ୍ରସଙ୍ଗ ଉଠାଇବାକୁ ଚାହୁଁଛନ୍ତି ତାକୁ ଶୂନ୍ୟକାଳରେ ଉଠାଇ ପାରିବେ । ତେଣୁ ବର୍ତମାନ ସେମାନେ ନିଜ ନିଜ ଆସନକୁ ଯାଆନ୍ତୁ ଓ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ । ତେବେ ଏହାର କୌଣସି ପ୍ରଭାବ ବିଜେପି ବିଧାୟକ ମାନଙ୍କ ଉପରେ ପଡି ନ ଥିଲା । ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
୧୧.୩୦ ରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେତେବେଳେ ମଧ୍ୟ ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ସେହି ସମାନ ପ୍ରସଙ୍ଗରେ ପ୍ରତିବାଦ କରିଥିଲେ ।
ବିଜେପି ବିଧାୟକ ମୋହନ ମାଝୀ କହିଥିଲେ ଯେ ସରକାରୀ ଦଳର ବିଧାୟକଙ୍କୁ ସୁରକ୍ଷା ଦେବାକୁ ଯାଇ ବାଚସ୍ପତି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ଅନୁମତି ଦେଉ ନାହାନ୍ତି । ସେମାନଙ୍କର ଅଧିକାରରୁ ବଂଚିତ କରା ଯାଉଛି ବୋଲି ସେ କହିଥିଲେ ।
ଏହା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ବିଧାୟକ ମାନଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କରା ଯାଉ ନାହିଁ । ବିଧାନସଭାକୁ ଚଳାଇବା ପାଇଁ ଯେଉଁ ନିୟମ ରହିଛି ସେହି ଆଧାରରେ ଚିଟ ଫଣ୍ଡ ଆଲୋଚନାକୁ ଅନୁମତି ଦିଆ ଯାଇ ନାହିାଁ ସେ କହିଥିଲେ ଯେ ଏହି ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଛି । ସେହିପରି ଏହାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଚାଲିଛି । ୨୦୧୪ ମସିହାରେ ତତ୍କାଳୀନ ବାଚସ୍ପତି ଆଡଭୋକେଟ ଜେନେରାଲଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇ ପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ବର୍ତମାନ ସେହି ରୁଲିଂକୁ ପାଳନ କରା ଯାଉଛି ବୋଲି ସେ କହିଥିଲେ ।
ଅନ୍ୟ ପକ୍ଷରେ ବିଜେପି ବିଧାୟକ ମାନେ ବାଚସ୍ପତିଙ୍କ ଏହି ଘୋଷଣାରେ ଆଦୌ ସନ୍ତୁଷ୍ଟ ନ ହୋଇ ହଟ୍ଟଗୋଳ ଜାରୀ ରଖିଥିଲେ । ଗୃହର ଅଚଳାବସ୍ଥାକୁ ଏଡାଇବାକୁ ଯାଇ ବାଚସ୍ପତି ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୨୦ ମିନିଟ ପାଇଁ ମୁଲତବୀ ରଖିଥିଲେ ।
ତେବେ ସର୍ବଦଳୀୟ ବୈଠକରେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରି ନ ଥିଲା । ଫଳରେ ସେହି ସମାନ ସ୍ଥିତି ରହିବା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରା ଯାଇଛି ।