ଗଞ୍ଜାମ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଶକ୍ତିନଗର ତୃତୀୟ ଲେନ୍ ବାସିନ୍ଦା ରବି ନାରାୟଣ ପଟ୍ଟନାୟକ ସାଇବର୍ ଠକେଇର ଶିକାର ହୋଇଛନ୍ତି । ସାଇବର୍ ଠକ ତାଙ୍କ ଆକାଉଂଟରୁ ୩ ଲକ୍ଷ ୨୪ ହଜାର ୯୯୯ ଟଙ୍କା ଠକି ନେଇଛନ୍ତି । ତାଙ୍କ ଏତଲା ଆଧାରରେ ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ କେସ୍ ନଂ ୨୬/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି ।
କିଛି ଦିନ ତଳେ ରବିନାରାୟଣଙ୍କ ମୋବାଇଲକୁ ଏକ ମେସେଜ୍ ଆସିବା ସହ ଷ୍ଟେଟ ବ୍ୟାଙ୍କ ଆକାଉଂଟ ବ୍ଲକ ହୋଇଯିବ, ଏଣୁ ପାନ୍ କାର୍ଡ଼ ଅପଡେଟ୍ କରିବାକୁ ମେସେଜ୍ ଆସିଥିଲା । ରବି ନାରାୟଣ ମେସେଜ୍ ସହ ଆସିଥିବା ଲିଙ୍କ୍ ରେ କ୍ଲିକ୍ କରିଥିଲେ । ଏହାପରେ ତାଙ୍କ ମୋବାଇଲରେ ଏକ ଅନ୍ ଲାଇନ ପେଜ୍ ଖୋଲିବା ସହ ସେଥିରେ ନିଜ ଆକାଉଂଟର ୟୁଜର୍ ନେମ ଓ ପାସୱାର୍ଡ ଦେଇଥିଲେ । ଏଥିରେ ଆଉ ଏକ ପେଜ୍ ଖୋଲିବା ସହ ରବିନାୟରାଣ ସେଥିରେ ପାନକାର୍ଡ଼ ନମ୍ବର ଓ ଜନ୍ମ ତାରିଖ ଦେଇଥିଲେ । ଏହାର କିଛି ସମୟ ପରେ ରବିନାରାୟଣଙ୍କ ମୋବାଇଲ ନମ୍ବରକୁ ଦୁଇଟି ଓଟିପି ଆସିଥିଲା । ଓଟିପି ନମ୍ବର ଟାଇପ୍ କରିବା ପରେ ତାଙ୍କ ଷ୍ଟେଟବ୍ୟାଙ୍କ ଆକାଉଂଟରୁ ଦୁଇ ଥରରେ ୩ ଲକ୍ଷ ୨୪ ହଜାର ୯୯୯ ଟଙ୍କା ଗାୟବ୍ ହୋଇଯାଇଥିଲା । ଆକାଉଂଟରୁ ଟଙ୍କା କଟିବା ପରେ ରବିନାରାୟଣ ଷ୍ଟେଟବ୍ୟାଙ୍କ ଶାଖାକୁ ଯୋଗାଯୋଗ କରି ତାଙ୍କ ଆକାଉଂଟ ଟ୍ରାଞ୍ଜାକସନ୍ ବନ୍ଦ କରିବାକୁ କହିଥିଲେ । ଏ ସଂକ୍ରାନ୍ତରେ ସାଇବର୍ ଥାନା ପକ୍ଷରୁ ତଦନ୍ତକୁ ଜୋରଦାର୍ କରାଯାଇଛି ।