
ବଲାଙ୍ଗିର, ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଲେନି ଦିଦି, ଫଳରେ ଗଛତଳେ ହେଲା କୋଭିଡ଼୍ ଭ୍ୟାକ୍ସିନେସନ । ଗତକାଲି ଏଭଳି ଚିତ୍ର ଦେଖିବାକୁ ମିଳିଥିଲା ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡ଼ା ପଚାଂୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗ୍ରାମରେ ।
ସ୍ଵାସ୍ଥ୍ୟକର୍ମୀ ମାନେ ଆଶାକର୍ମୀଙ୍କ ସହିତ ଗତକାଲି ସକାଳେ ଟୀକାକରଣ କେନ୍ଦ୍ର ନିକଟରେ ପହଂଚି ଥିଲେ । ଗ୍ରାମର ଅଙ୍ଗନବାଡ଼ି ଦିଦିଙ୍କୁ ଫୋନ୍ କରି କୋଠରୀ ଖୋଲିବାକୁ କହିଥିଲେ, ହେଲେ କୋଠରୀ ମଧ୍ୟରେ ଛତୁଆ ଓ ଅଣ୍ଡା ଥିବାରୁ ସେ ତାଲା ଖୋଲିବାକୁ ମନା କରିଥିଲେ । ଫଳରେ ଟୀକାକରଣ କେନ୍ଦ୍ର ନିକଟରେ ଥିବା ଏକ ବରଗଛ ମୂଳରେ ଲୋକଙ୍କୁ ଟୀକାକରଣ କରାଯାଇଥିଲା । ଯାହାକୁ ନେଇ ଗ୍ରାମବାସୀ ମାନେ ବିରକ୍ତି ପ୍ରକାଶ କରିଥିଲେ । ଆଜି ଏ ସମ୍ପର୍କରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ଏଡିଏମଓ) ପରିବାର କଲ୍ୟାଣ ବିଭାଗ ଡ. ସୁଧା ବାର୍ଲାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏମିତି ହେବା କଥା ନୁହେଁ, ତେବେ ବାସ୍ତବରେ କଣ ଘଟିଛି, ସେ ସମ୍ପର୍କରେ ବୁଝିବା ପରେ ପ୍ରତିକ୍ରିୟା ରଖିବି ବୋଲି କହିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, କୋଭିଡ଼୍ ଟୀକାକରଣ କେନ୍ଦ୍ର ଖୋଲାଯିବା ନେଇ ରହିଥିବା ଗାଇଡ଼୍ ଲାଇନ୍ ଅନୁସାରେ ସମ୍ପୃକ୍ତ ସ୍ଥାନରେ ତିନୋଟି କୋଠରୀର ବ୍ୟବସ୍ଥା ରହିବା ଉଚିତ୍ । ପ୍ରଥମ କୋଠରୀରେ ପ୍ରତୀକ୍ଷା, ଦ୍ଵିତୀୟ କୋଠରୀରେ ଟୀକାକରଣ ଓ ତୃତିୟ କୋଠରୀରେ ଅବଜରଭେସନର ବ୍ୟବସ୍ଥା ରହିବ। କିନ୍ତୁ, ଏଠାରେ ସେସବୁର ବ୍ୟତିକ୍ରମ ଦେଖିବାକୁ ମିଳିଛି । ତେବେ ସ୍ଵାସ୍ଥ୍ୟ ବିଭାଗର ଏନେଇ ତଦନ୍ତ ଆଗକୁ କେଉଁ ଦିଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା ।