
ଅନୂଗୁଳ/ନରସିଂହପୁର/ଭୁବନେଶ୍ୱର, କଟକ ନରସିଂହପୁର ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ କିଛି ଲୋକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଅନୁଗୁଳ ଡିଏଫ୍ଓ ସୂଚନା ଦେଇଛନ୍ତି ।
କଟକ ନରସିଂହପୁର ବାଇସିଙ୍ଗା ଜଙ୍ଗଲରେ ମୃତ ହାତୀକୁ ଗୁଳି କିପରି ବାଜିଲା? କିଏ, କାହିଁକି ଏବଂ କେଉଁଠି ଗୁଳି ଚଲାଇଲା? ଏନେଇ ତଦନ୍ତ ଆରମ୍ଭ ହୋଇଛି । ତେବେ ବନ୍ଧୁକ କେଉଁଠୁ ଆଣିଲେ ସେ ଦିଗରେ ଗୁରୁତ୍ୱ ଦିଆଯାଇ ତଦନ୍ତ କରାଯାଉଛି । ହେଲେ ହାତୀକୁ ଲାଗିଥିବା ଗୁଳି ଶିକାର ପାଇଁ ନା ଘଉଡ଼ାଇବା ପାଇଁ ତାହା ବି ତଦନ୍ତ ପରିସରଭୁକ୍ତ ବୋଲି ଡିଏଫ୍ଓ କହିଛନ୍ତି ।
ଗତ ୨୯ ଜୁଲାଇରେ ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ହୋଇଥିଲା । ୨୬ ତାରିଖରେ ହାତୀଟି କଟକ ନରସିଂହପୁର ଜଙ୍ଗଲରେ ଲଗାତାର ୩/୪ ଦିନ ଧରି ଇତସ୍ତତଃ ହୋଇ ବୁଲୁଥିଲା । ନରସିଂହପୁର ପଶ୍ଚିମ ରେଂଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀ ଠାବ କରାଯାଇଥିଲା । ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା ଚାଲିଥିଲା । ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା ।