ଗଞ୍ଜାମ, ଗଞ୍ଜାମ ଜିଲାରେ ଗତ କିଛି ଦିନ ହେଲା ବିଭିନ୍ନ ଗ୍ରାମାଚଂଳରେ ଚୋର ଆତଙ୍କ ସୃଷ୍ଟି ହୋଇଛି । ଯାହା ଲୋକଙ୍କ ନିଦ ହଜାଇ ଦେଇଛି । କେତେକ ଗ୍ରାମରେ ଲୋକେ ରାତି ଅନିଦ୍ରା ରହି ଠେଙ୍ଗାବାଡ଼ି ଧରି ଚୋରକୁ ଧରିବା ପାଇଁ ପଇଁତରା ମାରୁଛନ୍ତି । ଏହା ସତ୍ବେ ବିଭିନ୍ନ ଗ୍ରାମରେ ଚୋରି ଘଟଣା ସାମ୍ନାକୁ ଆସୁଛି । ଏହି ଚୋରମାନେ ହିନ୍ଦୀ ଭାଷାରେ କଥାବାର୍ତା କରୁଥିବାରୁ ଏମାନେ ବାହାର ରାଜ୍ୟର ବିଶେଷ କରି ଝାଡ଼ଖଣ୍ଡ କିମ୍ବା ବିହାର ରାଜ୍ୟର ହୋଇଥାଇପାରନ୍ତି ବୋଲି ଲୋକେ ଅନୁମାନ କରୁଛନ୍ତି । ଏହି ଚୋର ଦଳ ବିଳମ୍ବିତ ରାତିରେ ଟାର୍ଗେଟ୍ କରିଥିବା ଗ୍ରାମକୁ ଯାଇ ସିନ୍ଧି ଗାତ କରି କବାଟ ଦ୍ଵାର ଖୋଲି ଘରେ ପଶିବା ସହ ଟଙ୍କା, ଅଳଙ୍କାର ଆଦି ଲୁଟ୍ କରୁଥିବା ଜଣାପଡିଛି । ଧରାକୋଟ, ସୋରଡ଼ା, ଶେରଗଡ଼, ହିଞ୍ଜିଳିକାଟୁ, ବୁଗୁଡ଼ା ଓ କବିସୂର୍ଯ୍ୟନଗର ଅଂଚଳରେ ଚୋର ଉପଦ୍ରବ ବୃଦ୍ଧି ପାଇଥିବା ନେଇ ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜ୍ଜୁ ହୋଇଛି । ଗତ ସପ୍ତାହକ ମଧ୍ୟରେ ପାକିଡ଼ି ଗ୍ରାମରେ ୫ ଜଣଙ୍କ ଘରୁ ଚୋରି ହୋଇଥିବା ବେଳେ ଦୁଇ ଦିନ ପୂର୍ବେ କବିସୂର୍ଯ୍ୟନଗର ବାଲିଆସରା ଗ୍ରାମରେ ଗାଁ ଲୋକେ ପହରା ଦେଉଥିବା ବେଳେ ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ଧରି ପୋଲିସ ଜିମା ଦେଇଥିଲେ ।
ସେହିପରି ବୁଗୁଡ଼ା ବ୍ଲକର ଧନିଚା ଗ୍ରାମରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଏକ ଘରେ ପଶି ଚୋରି କରୁଥିବା ବେଳେ ପରିବାର ଲୋକେ ଉଠିପଡିବାରୁ ଚୋର ମାନେ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇ ଚମ୍ପଟ୍ ମାରିଥିଲେ । ଯାହାକୁ ସମ୍ପୃକ୍ତ ଅଂଚଳବାସୀ ଚୋର ଭୟରେ ଦିନ କାଟୁଛନ୍ତି । ପୋଲିସ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା କଡ଼କଡ଼ି କରାଯାଉନଥିବା ଅଭିଯୋଗ ହେଉଛି ।