ପଟ୍ଟାମୁଣ୍ଡାଇ, ଦୀର୍ଘ ତିନି ମାସ ବନ୍ଦ ରହିବା ପରେ ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କେନ୍ଦ୍ରାପଡ଼ା ରାଜନଗର ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ରହିବା ପରେ ଆସନ୍ତା କାଲି ଠୁ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ପାଇଁ ଖୋଲିବ । ଏହି ଜାତୀୟ ଉଦ୍ୟାନ ଏପ୍ରିଲ ୩୦ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା । ଏହି ତିନି ମାସ ବଉଳାକୁମ୍ଭୀର ମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ଏହି ପଦକ୍ଷେପ ନେଇଥିଲା । ଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବନବିଭାଗ ନିୟମ ଜାରି କରିଥିଲା ।
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମୋଟରଚାଳିତ ବୋଟ ଚଳାଚଳକୁ ଜାତୀୟ ଉଦ୍ୟାନରେ ନିଷିଦ୍ଧ କରାଯାଇଥିଲା । ଅଗଷ୍ଟ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ । ପର୍ଯ୍ୟଟକ ମାନେ ସମସ୍ତ କୋଭିଡ କଟକଣାକୁ ପାଳନ କରି ବୁଲିପାରିବେ । ଏଠାରେ ପର୍ଯ୍ୟଟକ ମାନେ ବନ ବିଭାଗ ପକ୍ଷରୁ ତିଆରି ହୋଇଥିବା ବୋଟ ଲାଇବ୍ରେରୀ, ଦେଶୀୟ ପକ୍ଷୀଙ୍କ ବସା ଓ ଡାଙ୍ଗମାଳ ଠାରେ କନିକା କାଫେ ଆଦିର ଆନନ୍ଦ ମଧ୍ୟ ନେଇପାରିବେ ।