ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ଢ଼େଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ – ଢ଼େଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁରରେ ଜନ୍ମିତ ଶହୀଦ ବାଜି ରାଉତ ବ୍ରିଟିଶ ଶାସନ ଆଗରେ ମଥା ନ ନୁଆଇଁ ଦେଶ ମାତୃକା ପାଇଁ ବଳିଦାନ ଦେଇଥିଲେ । ତାଙ୍କ ଭଳି ଅନେକ ସଂଗ୍ରାମୀଙ୍କ ବଳିଦାନ କାରଣରୁ ଆଜି ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିଛି । ଏଭଳି ନେତୃତ୍ୱଙ୍କୁ ମନେ ପକାଇବା ପାଇଁ ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛୁ । ଏହି ପରିପ୍ରେକ୍ଷୀରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି, ଧର୍ମ ଓ ଦଳ ମତ ନିର୍ବିଶେଷରେ ଆସନ୍ତା ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଜୀଙ୍କ ଆହ୍ୱାନ କ୍ରମେ ଆଜି ସେ ଢ଼େଙ୍କାନାଳର ଭୁବନ ଠାରୁ ଶହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମମାଟି ନୀଳକଣ୍ଠପୁର ପର୍ଯ୍ୟନ୍ତ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ।
ଏହି ଅବସରରେ ସେ ସାଢ଼େ ଚାରି କୋଟି ଓଡ଼ିଆ ତଥା ଓଡିଶାର ଘରେ ଘରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି । ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ଓତପ୍ରୋତଃ ଭାବେ ସାମିଲ ହୋଇ ଅଗଷ୍ଟ ୧୩ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ସହ ଅଭିଯାନକୁ ସଫଳ କରିବା ।