ବଲାଙ୍ଗିର, ସ୍ଵଳ୍ପ ବୃଷ୍ଟି ଯୋଗୁଁ ପ୍ରଭାବିତ ଚାଷ ଜମିରେ କିପରି ସଫଳ ଭାବେ ଚାଷ କରାଯାଇ ମରୁଡି ସହ ମୁକାବିଲା କରାଯାଇପାରିବ, ସେନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ବଲାଙ୍ଗିର ଜିଲାପାଳ। ଗତକାଲି ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ବଲାଙ୍ଗିର ସଦର ବ୍ଲକ ଓ ଲୋଇସିଂହା ବ୍ଳକର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟି ଯୋଗୁଁ ପ୍ରଭାବିତ ଚାଷ ଜମିରେ କିପରି ଠିକ୍ ଭବରେ ଚାଷ କରାଯାଇପାରିବ ସେ ନେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇ କିପରି ବର୍ଷର ଅଭାବକୁ ଦୂର କରାଯାଇପାରିବ ସେ ନେଇ କୃଷି ବିଭାଗ ର ଟିମ୍ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଣା ସଦର ବ୍ଲକ ଅର୍ନ୍ତଗତ ଚନ୍ଦନଭାଟି, ମିର୍ଦ୍ଧାପାଲି ଓ ପୁଇଁତଳା ବ୍ଳକ ର ଛତାମଖନା, ବିଲେଇ ସାର୍ଡା, ପିପିର୍ଡା ଆଦି ପଞ୍ଚାୟତ ଗସ୍ତ କରି ଏଠାକାର ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଡିପ୍ ବୋରୱେଲର ସଠିକ କାର୍ଯ୍ୟକ୍ଷମ ତଥା ଚଳିତ ବର୍ଷର ସ୍ଵଳ୍ପ ବର୍ଷାରେ ଚାଷକୁ କିପରି ସଫଳ ପରିଚାଳନା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା।
ଜିଲ୍ଲାପାଳଙ୍କ ସହ ମାଇନର ଇରିଗେସନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସମେତ, ସିଡିଓ ସଂଜୟ ପାଣି, ସୁଧାକର ନନ୍ଦ, ଜଗବନ୍ଧୁ ପଟେଲ ଓ ଅନ୍ୟ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ।