ଭୁବନେଶ୍ୱର, ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ଲିଖିତ “ଲକଡାଉନ ଲିରିକ୍ସ” ପୁସ୍ତକର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ସମୟରେ ହୋଇଥିବା ସମସ୍ୟା ଓ ସ୍ୱାସ୍ଥ୍ୟ ସଙ୍କଟକୁ ଏହି ପଦ୍ୟ ସଙ୍କଳନରେ ସ୍ଥାନ ଦେଇଛନ୍ତି ସଞ୍ଜୁକ୍ତା ଦାଶ । କରୋନା ମହାମାରୀ ମହାସଙ୍କଟ ମଧ୍ୟରେ ଲୋକମାନେ ଅଂଟା ସଳଖି ମୁକାବିଲା କରି ପୁଣିଥରେ ଜୀବନ ବଂଚିବାର ସ୍ଥିତିକୁ ନିଜ ପଦ୍ୟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ଚେଷ୍ଟା କରିଛନ୍ତି ଲେଖିକା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକ ଉନ୍ମୋଚନ କରିବା ସହିତ ଶ୍ରୀମତୀ ଦାଶଙ୍କ ଏପରି ସର୍ଜନାତ୍ମକ ଚିନ୍ତାଧାରା ପାଇଁ ପ୍ରଶଂସା କରିଛନ୍ତି । ଶ୍ରୀମତୀ ଦାଶ ଓଡିଆ ସାହିତ୍ୟରେ ଜଣେ ପରିଚିତ ନାଁ । “ଅନ୍ତସ୍ୱର”, “ଅମୃତ ଅନ୍ୱେଶ” ଓ “ଅପେକ୍ଷାରେ ଏବେବି” ଭଳି ଓଡିଆ ବହି ରଚନା କରିଛନ୍ତି ଶ୍ରୀମତୀ ଦାଶ । ଇଂରାଜୀ ଲିଟେରଚରରେ ପ୍ରଥମ କରି ସେ ଲକଡାଉନ ଲିରିକ୍ସ ଲେଖିଛନ୍ତି । ନୂଆ ଦିଲ୍ଲୀର ଅଥରସ୍ ପ୍ରେସ୍ ଏହାର ପ୍ରକାଶକ ।