ଭୁବନେଶ୍ୱର, ବିଧାନସଭାରେ ପଚାରିଥିବା ପ୍ରଶ୍ନର ସଠିକ ଉତର ମିଳି ନ ଥିବାରୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ମନ୍ତ୍ରୀ ହୋମ ବାର୍କ କରି ବିଧାନସଭାରେ ଉତର ଦିଅନ୍ତୁ ବୋଲି କହିଥିବା ଦେଖିବାକୁ ମିଳିଥିଲା ।
ବିଧାୟକ ଶ୍ରୀ ସାଲୁଜା ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ୨୦୧୦ ମସିହା ଠାରୁ କେତେ ଧନରାଶି ଖର୍ଚ କରା ଯାଇଛି ବୋଲି ପଚାରା ଯାଇଥିବା ପ୍ରଶ୍ନର ଉତରରେ ମନ୍ତ୍ରୀ ୨୦୧୫ ପର ଠାରୁ କେତେ ରାଶି ଖର୍ଚ ହୋଇଛି ତାର ସୂଚନା ଦେଇଥିଲେ । ଏହି ଉତର ପାଇବା ପରେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହାକୁ ନେଇ ପ୍ରଶ୍ନ କରିଥିଲେ । ଏତିକି ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ବିଭାଗୀୟ ମନ୍ତ୍ରୀ ତାଙ୍କୁ ୨୦୧୦ ପର ଠାରୁ କରା ଯାଇଥିବା ଖର୍ଚ ସମ୍ପର୍କରେ ତାଙ୍କୁ ପରେ ସୂଚନା ଦେଇ ଦେବେ । ତେବେ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ସେ ମନ୍ତ୍ରୀଙ୍କୁ ସମାଲୋଚନା କରୁ ନାହାନ୍ତି । ସେ କେବଳ ଏତିକି କହିବାକୁ ଚାହୁଁଛନ୍ତି ଯେ ଅଧିକାରୀ ମାନେ ଯାହା ଲେଖି ମନ୍ତ୍ରୀଙ୍କୁ ଧରାଉଛନ୍ତି ତାହାକୁ ମନ୍ତ୍ରୀ ପଢିବା ଉଚିତ ନୁହେଁ । ସେ ତାଙ୍କର ହୋମ ବାର୍କ କରିବା ଆବଶ୍ୟକ । କାରଣ ମନ୍ତ୍ରୀ ବିଧାନସଭା ପ୍ରତି ଉତରଦାୟୀ, ସରକାରୀ ଅଧିକାରୀ ମାନେ ନୁହନ୍ତି । ତେଣୁ ମନ୍ତ୍ରୀ ଏ ବିଷୟରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।