
-
ଉଭୟ ବିରୋଧୀ ଓ ସରକାରୀ ଦଳ ବିଧାନସଭାରେ କଲେ ଦାବି
ଭୁୁବନେଶ୍ୱର, ଦରଦାମ ବୃଦ୍ଧି ଘଟିଛି । ପେଟ୍ରୋଲ – ଡିଜେଲର ମୂଲ୍ୟ ମଧ୍ୟ ବଢିଲାଣି । ତେଣୁ ଯେତିକି ଅର୍ଥ ବିଧାୟକ ମାନଙ୍କୁ ଦରମା ଓ ଭତା ବାବଦରେ ପ୍ରଦାନ କରା ଯାଉଛି ତାହା ସେମାନଙ୍କୁ ଯଥେଷ୍ଟ ହେଉ ନାହିଁ । ଲୋକ ମାନଙ୍କର କାମ କରିବାକୁ ବିଭିନ୍ନ ସ୍ଥାନକୁ ଯିବା ବେଳେ ଗସ୍ତ ପାଇଁ ଇନ୍ଧନ ଖର୍ଚ ମଧ୍ୟ ଯଥେଷ୍ଟ ବଢିଲାଣି । ରାଜ୍ୟରେ ୨୦୧୭ ମସିହାରେ ବିଧାୟକ ମାନଙ୍କର ଦରମା ଓ ଭତା ବୃଦ୍ଧି ହୋଇଥିଲା । ଏଭଳି ସ୍ଥଳେ ବିଧାୟକ ମାନଙ୍କ ଦରମା ଓ ଭତାକୁ ପୁଣି ଥରେ ବଢାଇବାର ଆବଶ୍ୟକତା ରହିଛି । ସେହିପରି ପୂର୍ବତନ ବିଧାୟକ ମାନଙ୍କର ପେନସନକୁ ମଧ୍ୟ ବଢା ଯିବା ଆବଶ୍ୟକ ବୋଲି ଉଭୟ ବିରୋଧୀ ଓ ସରକାରୀ ଦଳର ବିଧାୟକ ମାନେ ବିଧାନସଭାରେ୍ ଦାବି କରିଛନ୍ତି ।
ଶୂନ୍ୟକାଳରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ବିଧାୟକ ମାନଙ୍କୁ ବର୍ଧିତ ହାରରେ ଦରମା ଓ ଭତା ଦେବାକୁ ଦାବି କରିଥିଲେ । ସେ କହିଥିଲେ ଯେ ବିଧାୟକ ମାନେ ୨୪ ଘଂଟା ଲୋକ ମାନଙ୍କ ପାଇଁ କାମ କରୁଛନ୍ତି । ଅନ୍ୟ ରାଜ୍ୟ ମାନଙ୍କରେ ବିଧାୟକ ମାନଙ୍କୁ ମିଳୁଥିବା ଦରମା ଓ ଭତାର ମଧ୍ୟ ସେ ଏକ ତୁଳନାତ୍ମକ ଚିତ୍ର ପ୍ରସ୍ତୁତ କରିଥିଲେ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ବିଧାୟକ ମାନଙ୍କୁ ମିଳୁଥିବା ଦରମା ଓ ଭତା ଖୁବ କମ । ସେ କହିଥିଲେ ୨୦୧୭ ମସିହାରେ ଶେଷ ଧର ପାଇଁ ଁ ଏହା ବଢିଥିଲା । ତେଣୁ ଏ ଦିଗରେ ବାଚସ୍ପତି ସରକାରଙ୍କୁ ନିର୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ ।
କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଶାସକ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ମୋହନ ମାଝୀଙ୍କ ଦାବିକୁ ସମର୍ଥନ କରିଥିଲେ । ସେମାନେ କହିଥିଲେ ଯେ ଔଷଧ ବାବଦକୁ ଯେଉଁ ଅର୍ଥ ମିଳୁଛି ତାହା ନଗଣ୍ୟ । ଅନ୍ୟ ରାଜ୍ୟ ମାନଙ୍କରେ ବିଧାୟକ ମାନଙ୍କୁ ଓଡିଶା ଅପେକ୍ଷା ଢେର ଅଧିକ ଦରମା ଓ ଭତା ପ୍ରଦାନ କରା ଯାଉଛି । ତେଣୁ ଏ ନେଇ ସରକାରଙ୍କୁ ବିଚାର କରିବାକୁ ନିର୍ଦେଶ ଦେବାକୁ ସେମାନେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।