ଭୁବନେଶ୍ୱର,ପତ୍ନୀ ତୃପ୍ତି ଦେଇଥିବା ଏତଲା ଆଧାରରେ ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ଥାନାରେ ହାଜର ହୋଇଛନ୍ତି । ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ର ମଧ୍ୟ ଖାରବେଳ ନଗର ଥାନା ଯାଇଥିଲେ । ପୋଲିସ୍ ବାବୁସାନ୍ ଙ୍କୁ ପ୍ରାୟ ଘଂଟାଏ କାଳ ପଚରାଉଚରା କରିଥିଲା ।
ଅନ୍ୟପକ୍ଷରେ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କ ନାଁରୁ ମାମଲା ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ସମାଧାନର ବାଟ ବାହାରିଛି, ଖୁବ୍ ଶୀଘ୍ର ତୃପ୍ତି କେସ୍ ପ୍ରତ୍ୟାହାର କରିବେ ବୋଲି ସେ କହିଛନ୍ତି । ସେହିପରି ବାବୁସାନ୍ ଫୋନ ମାଧ୍ୟମରେ ତୃପ୍ତିଙ୍କ ସହ କଥା ହୋଇଛନ୍ତି ।
ଖାରବେଳନଗର ଥାନା ଆଇଆଇସି ଅରୁଣ ସ୍ୱାଇଁ କହିଛନ୍ତି, ବାବୁସାନଙ୍କୁ ଥାନାରେ ହାଜର ହେବାକୁ ସୂଚନା ଦେଇଥିଲୁ । ସେହି ଆଧାରରେ ସେ ଆଜି ଥାନାରେ ହାଜର ହୋଇଥିଲେ । ତାଙ୍କ ସହ ତାଙ୍କ ମା’ ଅପରାଜିତା ଓ ରବି ମିଶ୍ର ଥିଲେ । ସେମାନଙ୍କ ଉପସ୍ଥିତିରେ ବାବୁସାନଙ୍କୁ ଜେରା କରାଯାଇଥିଲା । ୨ଟି କେସ୍ ରେ ତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ବାବୁସାନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କେସ୍ ର ସବୁ ଦିଗକୁ ଅନୁଶୀଳନ କରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।
ଏହା ପୂର୍ବରୁ ବାବୁସାନ୍ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରିଥିଲେ । ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ସକାଳେ ତାଙ୍କ ଘର ସାମ୍ନାରେ ଫ୍ୟାନମାନଙ୍କର ଭିଡ଼ ଲାଗି ରହିଥିଲା ।