କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟାରେ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପ କ୍ଷୟ ହେବା ସହ ତା’ ଗୃହରେ ବିପତ୍ତି ପଡ଼ିନଥାଏ ବୋଲି ପଦ୍ମପୁରାଣରେ ଉଲ୍ଲେଖ ରହିଛି । ଏହି ପରିପ୍ରେକ୍ଷୀରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ରତା ରହିଛି । ଏପରିକି ଚାଷୀ ପରିବାରରେ ସ୍ୱତନ୍ତ୍ର ଅଣଲେଉଟା ଚିତ୍ତାଉ ପିଠା ଭୋଗ ଲାଗି ହେବା ସହ ଗେଣ୍ଡା, କୋଚିଆ ଆଦି ଜଳଜୀବମାନଙ୍କୁ ପିଠା ଦିଆଯାଇଥାଏ । ତେବେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଚିତାଲାଗି ହୋଇଥିବା ଦେଖିବାକୁ ମିଳିଥିଲା । ଏହା ଶ୍ରୀମନ୍ଦିରର ଏକ ନିଆରା ପର୍ବ । ଏ ନେଇ ବିଭିନ୍ନ ଶାସ୍ତ୍ରମାନଙ୍କରେ ଅନେକ ବର୍ଣ୍ଣନା କରାଯାଇଛି ।
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଉଲ୍ଲେଖ ଅଛି ଯେ, ଶ୍ରୀବଳଭଦ୍ରଙ୍କ ସ୍ୱର୍ଣ୍ଣ ଚିତା ମଝିରେ ଏକ ବଡ ମର୍କତ ପଥର ରହିଛି । ଏହାର ଚାରି ପାର୍ଶ୍ୱରେ ପାଞ୍ଚଟି ବେଢରେ ଛୋଟ ଛୋଟ ମାଣିକ୍ୟ, ହୀରା, ମର୍କତ ବା ପାନ୍ନା ଏବଂ ନୀଳା ପଥର ରହିଛି । ସେହିଭଳି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚିତା ମଝିରେ ଏକ ବଡ ନାୟକ ହୀରା ପଥର ରହିଛି । ଚିତାର ସାତଟି ବେଢରେ ଛୋଟ ଛୋଟ ପଥର ମଧ୍ୟରେ ହୀରା, ମାଣିକ୍ୟ, ପାନ୍ନା ଏବଂ ଓପଲ ଖଞ୍ଜା ଯାଇଛି । ଚିତାର ଶୀର୍ଷରେ ପାନ ପତ୍ର ଆକୃତିର ହୀରା ପଥର ରହିଛି । ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ । ଏଥି ସହିତ ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ମର୍କତ ବା ପାନ୍ନା ପଥର ରହିଛି । ଏହି ଚିତାର ତିନି ବେଢରେ ଛୋଟ ଛୋଟ ମାଣିକ୍ୟ । ମର୍କତ ଓ ମାଣିକ୍ୟ ଚୁନି ରହିଛି । ଏହି ତିନୋଟି ସ୍ୱର୍ଣ୍ଣ ଓ ବହୁ ମୂଲ୍ୟବାନ ରତ୍ନ ପଥର ଖଞ୍ଜିତ ଚିତା ଗୁଡ଼ିକୁ ଶ୍ରୀ ମନ୍ଦିର ପରିଭାଷାରେ ଶ୍ରୀ ଜଗନ୍ନାଥଙ୍କ ଚିତାକୁ ହୀରା ଚିତା, ଶ୍ରୀ ବଳଭଦ୍ରଙ୍କ ଚିତାକୁ ମର୍କତ ଚିତା ବା ପାନ୍ନା ଚିତା ଏବଂ ଦେବୀ ସୁଭଦ୍ରାଙ୍କ ଚିତାକୁ ମର୍କତ ଚିତା କୁହଯାଏ । କିମ୍ବଦନ୍ତୀ ଅନୁଯାୟୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଆଦି ଶଙ୍କରାଚାର୍ଯ୍ୟ ସୋନପୁରରୁ ପାତାଳୀ ଶ୍ରୀକ୍ଷେତ୍ରରୁ ବିଗ୍ରହ ମାନଙ୍କ ଉଦ୍ଧାର କରି ମହାପ୍ରଭୁମାନଙ୍କୁ ପଟ୍ଟାଭିଷେକ କରି ହୀରା ଖଚିତ ସୁବର୍ଣ୍ଣ ଚିତା ମାନ ଲାଗି କରିଥିଲେ ବୋଲି ଶୁଣିବାକୁ ମିଳେ । ଆଜି ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ନିଆରା ଚିତ୍ତାଲାଗି ପୂଜା ହୋଇଥିଲା |
Related Stories
November 23, 2024