ବଲାଙ୍ଗିର, ଡାକ୍ତର ମାନଙ୍କର ଅକ୍ଲାନ୍ତ ପରିଶ୍ରମ ସତ୍ବେ ଗତକାଲି ବିଳମ୍ବିତ ରାତିରେ ସାନ ଭାଇର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମାରଖୁନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ବଡଭାଇର ମୃତ୍ୟୁ ଖବର ପାଇ ସାନଭାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ସେଠରେଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା କରିଥିଲେ ହେଲେ ସାନଭାଇ ବିଶ୍ଵଜିତ୍ ପଟେଲ୍ ର ଗତ ରାତିରେ ପ୍ରାଣବାୟୁ ଉଡିଯାଇଥିଲା। ଦୁଇଭାଇଙ୍କ ତିନିଦିନ ଭିତରେ ମୃତ୍ୟୁ ହୋଇଥିବା ଏହି ଘଟଣାରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାର ପିତା ମାତା ଦୁଇଟି ଯାକ ପୁତ୍ରଙ୍କୁ ହରାଇ ଭାଙ୍ଗି ପଡିଛନ୍ତି।
ସୂଚନା ଅନୁସାରେ, ୨୭ ତାରିଖ ଦିନ ସନ୍ଧ୍ୟା ସମୟରେ କୁମାରଖୁନ ଗାଁର ଦୀପକ ପୁଟେଲ, ଚନ୍ଦନ ଦହିତା, ଅରକ୍ଷିତ ପୁଟେଲ ଓ ରମେଶ ପୁଟେଲ ମାଲପଡା ସ୍ଥିତ ଗଞ୍ଜାଧର ପ୍ରୋଜେକ୍ଟର ମୁଖ୍ୟ କେନାଲକୁ ମାଛ ମାରିବା ପାଇଁ ଯାଇଥିଲେ । ଦୀପକ ପୁଟେଲ ମୁଖ୍ୟ କେନାଲର ଭିତରକୁ ପଶିଥିବା ବେଳେ କିଛି ସମୟ ପର୍ଯ୍ୟନ୍ତ ବାହାରି ନଥିଲେ । କିଛି ସମୟ ପରେ ତାଙ୍କର ମୃତଦେହ ପାଣିରେ ବାହାରି ଆସିଥିଲା । ମୃତଦେହକୁ ଦେଖି ଅନ୍ୟ ସାଥିମାନେ ତାଙ୍କ ଘରକୁ ଖବର ଦେଇଥିଲେ । ଦୀପକଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସାନଭାଇ ବିଶ୍ଵଜିତ ପୁଟେଲ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ବିଶ୍ଵଜିତଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ପାଟଣାଗଡ ଡାକ୍ତରଖାନାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ । ଦୀର୍ଘ ୧ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ବିଶ୍ଵଜିତଙ୍କ ଅବସ୍ଥା ଜଟିଳ ଆଡକୁ ଗତି କରୁଥିଲା, ପାଟଣାଗଡ ଅଞ୍ଚଳର ଜଣେ ସ୍ଵେଚ୍ଛାସେବୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଫୋନ ଯୋଗେ ଜଣାଇଥିଲେ ଓ ଶ୍ରୀ ବିଶିଙ୍କ ହସ୍ତକ୍ଷେପ ପରେ ବିଶ୍ଵଜିତଙ୍କ ଚିକିତ୍ସା ହୋଇଥିଲା । ଡାକ୍ତରଖାନାରେ ବିଶ୍ଵଜିତ ବିପଦମୁକ୍ତ ଥିବା ଜଣା ଯାଉଥିଲା ଡ଼ାକ୍ତର ମାନେ ମଧ୍ୟ ବଞ୍ଚିଯିବାର ଆଶାରେ ଉଦ୍ୟମ ଆରମ୍ଭ କରିଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା।