ଭୁବନେଶ୍ୱର, ବିଧାନସଭାରେ ଶୁକ୍ରବାର ଦିନ ଶୁନ୍ୟକାଳରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ରାଜ୍ୟର ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଡକ୍ୟୁମେଂଟ ଦେଖି ପଢିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ପ୍ରବଳ କଥା କଟି କଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପଡିବାରୁ ମୋହନ ମାଝୀଙ୍କୁ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶାନ୍ତ ହୋଇ ନିଜର କଥା କୁହନ୍ତୁ ବୋଲି କହିଥିଲେ ।
ଶୂନ୍ୟକାଳରେ ପୋଲିସ ବିଭାଗ ସହ ସମ୍ପର୍କିତ ଏକ ପ୍ରସଙ୍ଗ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଉଠାଉଥିବା ବେଳେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ଏହାକୁ ନେଇ ଆପତି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବାଚସ୍ପତିଙ୍କ ବିନା ଅନୁମତିରେ କେହି ଗୃହରେ କୌଣସି ଡକ୍ୟୁମେଂଟକୁ ପଢି ପାରିବେ ନାହିାଁ ସେ କିଛି ଦିନ ହେଲା ଦେଖୁଛନ୍ତି ଯେ ବିରୋଧୀ ଦଳର ମୁଖ୍ୟ ସଚେତକ ସିଧା ସିଧା ଗୃହରେ ଡକ୍ୟୁମେଂଟ ପଢୁଛନ୍ତି । ଏହା ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ସେ ବିଧାୟକଙ୍କୁ ଡକ୍ୟୁମେଂଟ ପଢିବାକୁ ଅନୁମତି ଦେଇ ନାହାନ୍ତି ।
ତେବେ ଅର୍ଥ ମନ୍ତ୍ରୀଙ୍କ ଏ ସମ୍ପର୍କିତ ଆପତି ଉପରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଉତକ୍ଷିପ୍ତ ହୋଇ ପଡିଥିଲେ । ଅର୍ଥ ମନ୍ତ୍ରୀ କେବେ ବିଧାନସଭାରେ ନ ପଢିକି କହିଛନ୍ତି କି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । ମୋହନ କହିଥିଲେ ଯେ ସେ ଡକ୍ୟୁମେଂଟରୁ ଦେଖି ପଢୁ ନାହାନ୍ତି । ପଏଂଟକୁ ଦେଖୁଛନ୍ତି । ବିନା ପଏଂଟ ଦେଖାରେ କିଭଳି ପ୍ରଶ୍ନ କରି ହେବ ବୋଲି ସେ କହିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୋହନ ମାଝୀଙ୍କୁ କହିଥିଲେ ଯେ ସେ ଶାନ୍ତ ହୋଇ ନିଜର ବକ୍ତବ୍ୟ ରଖନ୍ତୁ ।