ଭୁବନେଶ୍ୱର, ରାଜ୍ୟରେ ମୋଟ ୧୩୫୮ ଟି ରାଇସ ମିଲ ରହିଛି । ଏଥି ମଧ୍ୟରୁ ଭଦ୍ରକରେ ୨୫ଟି ରାଇସ ମିଲ ରହିଛି । ବିଧାୟକ ବିଷ୍ଣୁ ସେଠୀଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସୁକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ସାଧାରଣ ଭାବେ ରାଇସ ମିଲ ସ୍ଥାପନା କରିବାକୁ ହେଲେ ଡିଆଇସିରେ ପଂଜୀକରଣ କରିବାର ଆବଶ୍ୟକତା ନଥାଏ । ଯଦି କେହି ଏ ବାବଦରେ ସବସିଡି ଓ ଅନ୍ୟ ସରକାରୀ ସୁବିଧା ସୁଯୋଗ ପ୍ରାପ୍ତ କରିବାକୁ ଚାହେଁ ତେବେ ତାଙ୍କୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ବେବସାଇଟରେ ଯାଇ ପଂଜୀକରଣ କରିବାକୁ ହୁଏ । ଏହା ପରେ ହିଁ ସେମାନେ ସବସିଡି ଆଦି ଲାଭ ପାଇ ପାରିବେ ବୋଲି ସେ କହିଛନ୍ତି ।
ରାଇସ ମିଲ ଦ୍ୱାରା ପ୍ରଦୂଷଣ ସମ୍ପର୍କିତ ବିଷ୍ଣୁ ସେଠୀଙ୍କ ଏକ ଅତିରିକ୍ତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଏ ସମ୍ପର୍କରେ ନିର୍ଦିଷ୍ଟ ଭାବେ ଅଭିଯୋଗ ଆସିଲେ ତାକୁ ଜାଂଚ କରା ଯିବ ଓ ସଂପୃକ୍ତ ସଂସ୍ଥାକୁ ନୋଟିସ ଜାରୀ କରି ପ୍ରଦୂଷଣ ସମ୍ପର୍କିତ ଗାଇଡଲାଇନ ମାନିବାକୁ କୁହା ଯିବ । ଯଦି ଏହା ସତ୍ୱେ ସେ ନିୟମାବଳୀ ଉଲ୍ଲ୍ଂଘନ କରେ ତେବେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ସେ କହିଛନ୍ତି ।