
ଜୟପୁର,ମାଓବାଦୀଙ୍କ ପକ୍ଷରୁ ପାଳନ କରାଯାଉଥିବା ସହିଦ ସପ୍ତାହର ଦ୍ଵିତିୟ ଦିନରେ ଜୟପୁର- ମାଲକାନଗିରି ବସ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଜୟପୁର ଜୋନର ପାଖା ପାଖି ୧୨ଟି ରୁଟରେ ଓ ବିଜୟନଗରମ ଜୋନରୁ ୩ଟି ରୁଟରେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅବିଭକ୍ତ କୋରାପୁଟ ଜିଲାରେ ୩୪ ରୁ ଅଧିକ ସରକାରୀ ବସ୍ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ୨୭ ତାରିଖ ରାତ୍ରରୁ ସରକାରୀ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।୨୮ ତାରିଖ ଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସରକାରୀ ବସ୍ ବନ୍ଦ କରାଯାଇଛି । ମାଲକାନଗିରି ଜିଲା ରୁଟ୍ ରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣୀ ରୁଟ୍ ରେ ୪ଟି ବସ୍ ବନ୍ଦ କରାଯାଇଛି । କୋଟିଆ ରୁଟରେ ୨ଟି, ପାର୍ବତିପୁରମ ଗୋଟିଏ, କାଶିପୁର ଦୁଇଟି, ଭଦ୍ରାଚଳମ ଦୁଇଟି, ଗୁଣୁପୁର ଦୁଇଟି ଓ ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ଵରକୁ ଯାଉଥିବା ୮ଟି ବସ କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ମାଲକାନଗିରି ଜିଲା ମୋଟୁ ଠାରୁ ବିଶାଖାପାଟଣା ଦୁଇଟି ସେହିପରି ଉକ୍ତ ଜିଲାରୁ ଆନ୍ଧ୍ର ଯାଉଥିବା ୬ଟି ବସ୍ ବନ୍ଦ କରାଯାଇଛି । ବ୍ରହ୍ମପୁର, ଭୁବନେଶ୍ଵର ଠାରୁ କୋରାପୁଟ- ମାଲକାନଗିର ପାଇଁ ଆସୁଥିବା ୧୫ଟି ବସ, ଭବନାପାଟଣାରୁ-ମୋଟୁ ଦୁଇଟି ବସ ବନ୍ଦ ରହିଛି । ଇନ୍ଦ୍ରାବତୀ- ଚିତ୍ରକୋଣ୍ଡା ରୁଟ ରେ ୨ଟି , କାଶିପୁର ଭାୟା ଦଶମନ୍ତପୁର ରୁଟ ରେ ୨ଟି, ଭବାନିପାଟଣା- ମାଲକାନଗିରି, ନିଳାଦ୍ରିନଗର, ଫୁଲବାଣି ରୁଟ ମଧ୍ୟରେ ଏପରି ଭାବେ ୩୫ ରୁଟ ରେ ୪୦ ରୁ ଅଧିକ ସରକାରୀ ଗାଡି ବନ୍ଦ ହୋଇଛି । ଏସବୁ ରୁଟ୍ ରେ ବସ୍ ଚଳାଚଳକୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ମାଓବାଦୀ ଯେପରି କୌଣସି କାଣ୍ଡ ନଘଟାଇ ପାରିବେ ସେ ନେଇ ଜିଲା ପୋଲିସ ତରଫରୁ ସୁରକ୍ଷାକୁ କଡାକଡି କରାଯାଇଥିବା ଜଣାଯାଇଛି । ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡା, ପଟାଙ୍ଗି ଅଂଚଳରେ ସୁରକ୍ଷା ବାହନି ତରଫରୁ ତିକ୍ଷ୍ନ ନଜର ରଖାଯାଇଛି । ମାଓ ଉପଦୃତ ଅଂଚଳରେ ଥିବା ଥାନା ଗୁଡିକର ସୁରକ୍ଷାକୁ କଡା କଡି କରାଯାଇଛି । ଅପରପକ୍ଷେ ମାଓବାଦୀ ମାନେ ଶହିଦ ସପ୍ତାହକୁ ସମର୍ଥନ ଜଣାଇବାକୁ ବ୍ୟାନରେ ଓ ପୋଷ୍ଟର ମାଧ୍ୟମରେ ଅନୁରୋଧ କରିଛନ୍ତି ।