ସୁବର୍ଣ୍ଣପୁର, ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ଵଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଦ୍ୟୁତ ଉତ୍ସବ ନୂତନ ଟାଉନ ହଲ ସୋନପୁର ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ସଂସ୍ଥା ସମୂହ ଏନଟିପିସି, ଓପିଟିସିଏଲ, ଟିପିଓଡବ୍ଲୁଡିଏଲଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି।
ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ପ୍ରମୁଖ ଯୋଗଦାନ କରିଥିଲେ। ଏହି ମହୋତ୍ସବ ଦେଶର ଜନସାଧାରଣଙ୍କ ନିମନ୍ତେ ସମର୍ପିତ, ଯେଉଁମାନଙ୍କ ପ୍ରଚେଷ୍ଟାରେ ଭାରତ ଏହି ବିକାଶମୂଳକ ଯାତ୍ରାରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି। ନୂତନ ଜ୍ଞାନ କୌଶଳର ବିନିଯୋଗ ସହ ଦକ୍ଷ ଭାବେ ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଣ ପୂର୍ବକ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ କରାଯାଇ ପାରିଛି। ଭବିଷ୍ୟତ ଶକ୍ତି ସଂରକ୍ଷଣ ପାଇଁ ଆମ ସମସ୍ତଙ୍କୁ ପ୍ରକୃତିର ସୁରକ୍ଷା ସହିତ ସଂରକ୍ଷଣର ଆବଶ୍ୟକତା ରହିଥିବା ମତବ୍ୟକ୍ତ କରିବା ସହ ଶକ୍ତିର ବିନିଯୋଗ ଉପଭୋଗ ପାଇଁ ନ ହୋଇ ଉପଯୋଗ ଓ ଉପଲବ୍ଧି ନିମନ୍ତେ କରିବା ଉପରେ ଗୁରୁତ୍ଵପ୍ରଦାନ କରିଛନ୍ତି ଅତିଥି ବୃନ୍ଦ ।
ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟୁତ ସୁରକ୍ଷା, ସଂରକ୍ଷଣ, ଜଳ ବିଦ୍ୟୁତ ସୁରକ୍ଷା ତଥା ବିଦ୍ୟୁତର ଭବିଷ୍ୟତ ସୁରକ୍ଷା ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିବା ବେଳେ ସୋନପୁର ନାଟ୍ୟ ଚକ୍ର ଦ୍ଵାରା ବିଦ୍ୟୁତ ସଂରକ୍ଷଣ ଓ ସୁରକ୍ଷା ଉପରେ ନୁକଡ଼ ନାଟକ ଓ ନିରାକାର ଦେହୁରୀ ଓ ସାଥୀଙ୍କ ଦ୍ଵାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଉତ୍ସବରେ ଜିଲ୍ଲା ପାଇଁ ନିୟୋଜିତ ନୋଡାଲ ଅଧିକାରୀ ଏନଟିପିସିର ସୁଧାଂଶୁ ଶେଖର ପ୍ରଧାନ, ଟିପିଓଡବ୍ଲୁଡିଏଲର ସତ୍ୟ ରଞ୍ଜନ ସାହୁ, ଓପିଟିସିଏଲର ନିରଞ୍ଜନ ପଣ୍ଡା ତଥା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ଡେପୁଟି କଲେକ୍ଟର ପ୍ରୟାଶୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ବନମାଳି ପଣ୍ଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ସ୍ଥାନୀୟ ଜନ ପ୍ରତିନିଧି, ଏସଏଚଜି ସଦସ୍ୟା, ବିଦ୍ୟୁତ ହିତାଧିକାରୀ, ଉପଭୋକ୍ତା, ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଦ୍ୟୁମ୍ନ କୁମାର ସାହୁ ଅତିଥି ସ୍ଵାଗତ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲପାଳ ସୁବର୍ଣ୍ଣପୁରଙ୍କ ନିର୍ଦେଶରେ ଜିଲ୍ଳାପ୍ରଶାସନର ସମସ୍ତ ପ୍ରକାର ସହଯୋଗରେ ଉତ୍ସବର ସଫଳତା ପାଇଁ ସତ୍ୟ ରଞ୍ଜନ ସାହୁ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଟିପିଓଡବ୍ଲୁଡିଏଲ, ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।