
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମାରଖୁନ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ବଡଭାଇର ମୃତ୍ୟୁ ଖବର ପାଇ ସାନଭାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ କୁମାରଖୁନ ଗାଁର ଦୀପକ ପୁଟେଲ, ଚନ୍ଦନ ଦହିତା, ଅରକ୍ଷିତ ପୁଟେଲ ଓ ରମେଶ ପୁଟେଲ ମାଲପଡା ସ୍ଥିତ ଗଞ୍ଜାଧର ପ୍ରଜେକ୍ଟର ମୁଖ୍ୟ କେନାଲକୁ ମାଛ ମାରିବା ପାଇଁ ଯାଇଥିଲେ । ଦୀପକ ପୁଟେଲ ମୁଖ୍ୟ କେନାଲର ଭିତରକୁ ପଶିଥିବା ବେଳେ କିଛି ସମୟ ପର୍ଯ୍ୟନ୍ତ ବାହାରି ନଥିଲେ । କିଛି ସମୟ ପରେ ତାଙ୍କର ମୃତଦେହ ପାଣିରେ ଭାସିଥିଲା । ମୃତଦେହକୁ ଦେଖି ଅନ୍ୟ ସାଥିମାନେ ତାଙ୍କ ଘରକୁ ଖବର ଦେଇଥିଲେ । ଦୀପକଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସାନଭାଇ ବିଶ୍ଵଜିତ ପୁଟେଲ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାର ଲୋକେ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ବିଶ୍ଵଜିତଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ପାଟଣାଗଡ ଡାକ୍ତରଖାନାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ । ଦୀର୍ଘ ୧ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ବିଶ୍ଵଜିତଙ୍କ ଅବସ୍ଥା ଜଟିଳ ଆଡକୁ ଗତି କରୁଥିଲା। ପାଟଣାଗଡ ଅଞ୍ଚଳର ଜଣେ ସ୍ଵେଚ୍ଛାସେବୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଫୋନ ଯୋଗେ ଜଣାଇଥିଲେ ଓ ଶ୍ରୀ ବିଶିଙ୍କ ହସ୍ତକ୍ଷେପ ପରେ ବିଶ୍ଵଜିତଙ୍କ ଚିକିତ୍ସା ହୋଇଥିଲା । ବର୍ତ୍ତମାନ ବିଶ୍ଵଜିତ ବିପଦମୁକ୍ତ ଥିବା ଜଣାପଡିଛି ।