-
ଖଟିଆ, ଭାରରେ ବୁହା ହେଉଛନ୍ତି ରୋଗୀ ଓ ପ୍ରସୂତି
କନ୍ଧମାଳ, ନିର୍ବାଚନ ପୂର୍ବରୁ ପୁଳାପୁଳା ପ୍ରତିଶ୍ରୁତି, ହେଲେ ଭୋଟ ପାଇବା ପରେ ଯଥା ପୂର୍ବଂ ତଥା ପରଂ । ବିଧାୟକ ଭୋଟ ପାଇବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳକୁ ଯାଇ କହିଥିଲେ ମୁଁ ଏବେ ଚାଲି ଚାଲି ଆସିଛି ମୋତେ ଭୋଟ ଦିଅ ମୁଁ ତୁମ ଗାଁକୁ ପକ୍କା ରାସ୍ତା କରି କାରରେ ଆସିବି । କିନ୍ତୁ, ଭୋଟ ପାଇବା ପରଠାରୁ ଆଉ ତାଙ୍କର ପାଦ ପଡ଼ିନାହିଁ ସେହି ଅଞ୍ଚଳରେ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳିର ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତରୁ । ଗାଁ ଠୁ ସହର ସବୁଠି ବିକାଶ କରିବା ପାଇଁ ରାଜ୍ୟ ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲ୍ଲାର ବିକାଶ ହୋଇଥିବା କୁହାଯାଉଛି । କିନ୍ତୁ, କନ୍ଧମାଳ ଜିଲ୍ଲାର ବାସ୍ତବ ଚିତ୍ର ଏହାର ସମ୍ପୂର୍ଣ୍ଣ ଓଲଟା । ଦେଶ ସ୍ବାଧିନତା ହାସଲକୁ ୭୫ ବର୍ଷ ପୂରିଛି ସତ ହେଲେ କନ୍ଧମାଳ ଜିଲ୍ଲାରେ ଏବେ ବି ଏମିତି ଗାଁ ଅଛି ଯେଉଁଠି ଲୋକେ ମୌଳିକ ସମସ୍ୟା ଘେରରେ ଧନ୍ଦି ହେଉଛନ୍ତି ପ୍ରତିଦିନ । ପ୍ରଶାସନିକ ଅବହେଳା ହେଉ ଅବା ସରକାରୀ ବାବୁ ତଥା ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ଇଛାଶକ୍ତି ଅଭାବରୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ସରକାରୀ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ୨୦ ବର୍ଷ ପୂର୍ବେ ନିର୍ମିତ ପୋଲର ଉଭୟ ପାର୍ଶ୍ଵ ମାଟି ଧୋଇ ହୋଇଯାଇଥିବାରୁ ଗ୍ରାମବାସୀଙ୍କ ସମେତ କୋମଳମତି ଛାତ୍ରଛାତ୍ରୀମାନେ ବିପଦ ସଂକୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ଖାଲି ସେତିକି ନୁହେଁ ବରଂ ଜରୁରୀକାଳୀନ ପରିସ୍ଥିତିରେ ନଦୀ ଭିତରେ ରୋଗୀ ଓ ପ୍ରସୂତି ମହିଳାଙ୍କୁ ଖଟିଆ ଓ ଭାରରେ ବୋହି ଡାକ୍ତରଖାନାକୁ ନେଇଥାନ୍ତି ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଞ୍ଚାୟତ ବ୍ରହ୍ମପାଙ୍ଗା ଗ୍ରାମର ନିରୀହ ଲୋକେ । ତିଲୋରୀ ପଞ୍ଚାୟତର ୧୦ ନମ୍ବର ୱାର୍ଡରେ ରହିଛି ବ୍ରହ୍ମପାଙ୍ଗା, ଅରାକାମ୍ବା ଓ କାଡକୁପା ଗ୍ରାମ । ୮୦ରୁ ଉର୍ଦ୍ଧ୍ବ ପରିବାରର ୩ ଶହରୁ ଉର୍ଦ୍ଧ୍ଵ ଲୋକେ ବସବାସ କରନ୍ତି ଏହି ଅଞ୍ଚଳରେ । ଗ୍ରାମରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଦୂରତା ପ୍ରାୟ ୬ କିଲୋମିଟର । ସେଥିମଧ୍ୟରୁ ପ୍ରାୟ ୩ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଗାଁ ମୁଣ୍ଡରେ ୨୦ ବର୍ଷ ତଳେ ପୋଲଟିଏ ନିର୍ମାଣ କରାଯାଇଥିଲା ଯାହାକି ବର୍ତ୍ତମାନ ସମୟରେ ପୋଲଟିର ଉଭୟ ପାର୍ଶ୍ଵ ମାଟି ବର୍ଷାରେ ଧୋଇ ହୋଇଯାଇଛି । ଯାହାଫଳରେ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ବିପଦ ସଂକୁଳ ଅବସ୍ଥାରେ ପାଠ ପଢିବା ପାଇଁ ସ୍କୁଲ କଲେଜକୁ ଯିବା ଆସିବା କରୁଥିବା ବେଳେ ଗ୍ରାମବାସୀ ମାନେ ଦୈନନ୍ଦିନ କାମରେ ଯିବାଆସିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁ କୁ ରାସ୍ତା ନଥିବା ଯୋଗୁଁ ଜରୁରୀକାଳୀନ ପରିସ୍ଥିତିରେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଗ୍ରାମକୁ ଯାଇପାରେନାହିଁ । ବାର୍ଦ୍ଧକ୍ୟ ତଥା ବିଧବା ଭତା, ରାଶନ କାର୍ଡରେ ମିଳୁଥିବା ଚାଉଳ ଡାଲି ଓ କିରୋସିନ ନେବାପାଇଁ ରାସ୍ତାରେ ଚାଲିଚାଲି ଯିବାକୁ ପଡିଥାଏ । ଅନ୍ୟପକ୍ଷରେ ରାସ୍ତା ନଥିବା କାରଣରୁ ସାମାନ୍ୟ ରୋଗରେ ପିଡ଼ୀତ ରୋଗୀ ହୁଅନ୍ତୁ ଅବା ପ୍ରସୂତି ମହିଳଙ୍କୁ ଖଟିଆ ଓ ଭାରରେ ବୋହି ଡାକ୍ତରଖାନାକୁ ନେବାଆଣିବା କରୁଛନ୍ତି ଗ୍ରାମବାସୀ । ୧୦୨/୧୦୮ ଆମ୍ବୁଲାନ୍ସ ଗ୍ରାମକୁ ରାସ୍ତାନଥିବା କାରଣରୁ ଆସିପାରୁନଥିବାରୁ ଜରୁରୀକାଳିନ ପରିସ୍ଥିତିରେ ରୋଗୀକୁ ନଦୀ ନାଳ ଭିତରେ ଭାର କରି କାନ୍ଧରେ ବୋହି ଡାକ୍ତରଖାନାକୁ ଗ୍ରାମବାସୀ ମାନେ ନେଇଥାନ୍ତି ।
୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଚାର ପ୍ରସାର ପାଇଁ ନେତା ଓ କର୍ମୀ ଗାଁରେ ପହଞ୍ଚି ପୁଳାପୁଳା ପ୍ରତିଶ୍ରୁତି ଦେଇ ଜିତିବା ପରେ ସବୁ ସମସ୍ୟାର ସମାଧାନ କରିଦେବୁ କହିଥିଲେ । କିନ୍ତୁ, ଭୋଟ ହାସଲ ପରେ ଆଜି ପର୍ଯ୍ୟନ୍ତ ତାଙ୍କର ଦେଖାମିଳିନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଅନ୍ୟପଟେ ଏନେଇ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏଯାବତ୍ କୌଣସି ସୁଫଳ ମିଳି ପାରିନାହିଁ । ପୋଲ ଓ ଭଲ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବିଡିଓ ଗଦାଧର ପାତ୍ରଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ କେବେ ଗ୍ରାମବାସୀଙ୍କ ଦୁଃଖ ସରକାର ବୁଝିବେ ତାହା ଦେଖିବାକୁ ବାକି ରହିଲା।