ମାଲକାନଗିରି, ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନ ଠାରେ ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଉତ୍କଳ ଭାରତ ଉଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓପିଟିସିଏଲ, ଏନଟିପିସି ଓ ଟାଟା ପାୱାର, ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ପରିଷଦ ସଭାପତି ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଅତିରିକ୍ତ ଜିଲାପାଳ ମହେଶ୍ବର ଚନ୍ଦ୍ର ନାୟକ, ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ଯୋଗଦେଇ ପୂର୍ବରୁ ଦେଶରେ ବିଦ୍ୟୁତର ଅଭାବ ଦେଖା ଦେଉଥିବା ବେଳେ ଗତ ୮ ବର୍ଷ ମଧ୍ୟରେ ଦେଶ ବିଦ୍ୟୁତ ଶକ୍ତି, ଅକ୍ଷୟ ଶକ୍ତି ଉତ୍ପାଦନ କରି ପ୍ରତ୍ୟେକ ଉପଭୋକ୍ତାଙ୍କୁ ନିରବିଚ୍ଛିନ୍ନ ଭାବେ ସେବା ଯୋଗାଇ ଦେଇ ଆସୁଛି । ବର୍ତ୍ତମାନ ପ୍ରତ୍ୟେକ ଘର ଆଲୋକିତ ହୋଇପାରିଛି । ଲୋ ଭୋଲଟେଜ ସମସ୍ୟା, ବିଦ୍ୟୁତ କାଟ ସମସ୍ୟାରୁ ଲୋକେ ମୁକ୍ତ ହୋଇଛନ୍ତି ବୋଲି କହିଥିଲେ । ମାଲକାନଗିରି ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ସୌଭାଗ୍ୟ ଯୋଜନା ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ୪୬୩୮୯ଟି ନୂତନ ସଂଯୋଗ ଦିଆଯାଇଥିବା ବେଳେ ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା ଓ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନାରେ ୭୮୯୬ ଟି ନୂତନ ସଂଯୋଗ ଦିଆଯାଇଛି । ସେହିଭଳି ମାଲକାନଗିରି ଜିଲାରେ ଗତ ୮ ବର୍ଷ ମଧ୍ୟରେ ଓପିଟିସିଏଲ ପକ୍ଷରୁ ୨୨୦ / ୩୩ କେଭିର ୩ଟି ସବଷ୍ଟେସନ ପ୍ରତିଷ୍ଠା ସହ ୩୩ / ୧୧ କେଭିର ପ୍ରାଥମିକ ସବଷ୍ଟେସନ ୫ଟି ପ୍ରତିଷ୍ଠା କରାଯାଇଛି । ପୂର୍ବଭଳି ଲୋ ଭୋଲଟେଜ ଓ ବିଦ୍ୟୁତ କାଟ ସମସ୍ୟା ବନ୍ଦ ହୋଇଛି ବୋଲି କହିଥିଲେ । ପଥପ୍ରାନ୍ତ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ସହକାରୀ ଯନ୍ତ୍ରୀ ସୁରୋଜ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ । ଓପିଟିସିଏଲରର ଡିଜିଏମ ଲକ୍ଷ୍ମୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ଟାଟା ପାୱାର ସଦରେଣ୍ଡ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ନିର୍ବାହୀ ଯନ୍ତ୍ରୀ ପ୍ରତାପ କେଶରୀ ନାୟକଙ୍କ ସମେତ ଏନଟିପିସିର ଅଧିକାରୀ ଓ ସ୍ଵୟଂସହାୟକ ଗୋଷ୍ଠୀ ମହିଳା ଓ ଉପଭୋକ୍ତା ଉପସ୍ଥିତ ଥିଲେ ।