ମାଲକାନଗିରି, ମାଲକାନଗିରି ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ଗତକାଲି ଏକ ବିଭିତ୍ସ ହତ୍ୟାକାଣ୍ଡ ଘଟିଛି । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, କୋରୁକୋଣ୍ଡା ଗ୍ରାମର ଭୀମ ଦାସ ( ୫୫ ) ଗତକାଲି ଅପରାହ୍ନରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା ପାଇଁ ଯାଇଥିଲେ । ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଜମିକୁ ଯାଇ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳେ ରକ୍ତ ପଡିଥିବା ଦେଖି ପରିବାର ଲୋକେ ଚିନ୍ତିତ ହୋଇ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ବାଉଁଶ ବୁଦା ମୂଳରୁ ରକ୍ତ ଛିଟା ପଡ଼ି ଘୋଷାରି ହୋଇଯାଇଥିବା ଚିହ୍ନ ଦେଖି ସେହି ଚିହ୍ନ ଅନୁଯାୟୀ ପରିବାର ଲୋକେ ନିକଟରେ ଥିବା ନଦୀ ସହ ସଂଯୋଗ ହୋଇଥିବା ନାଳ ନିକଟରେ ଭୀମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଭୀମଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଥିବା ବେଳେ ଭୀମ ବାଉଁଶ କାଟିବା ନିମନ୍ତେ ନେଇଥବା ଟାଙ୍ଗିଆଟିର ପତ୍ତା ମିଳି ନ ଥିଲା । ହତ୍ୟା ସନ୍ଦେହ କରି ତୁରନ୍ତ ପରିବାର ଲୋକେ ମାଲକାନଗିରି ଥାନାକୁ ଯୋଗଯୋଗ କରିବା ପରେ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ କିଏ ଏବଂ କାହିଁକି ଏଭଳି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ ।