ମାଲକାନଗିରି, କେନ୍ଦ୍ର ସରକାର ଗରିବ ଓ ଅସହାୟ ମାନଙ୍କୁ ବର୍ଷକୁ ଅନ୍ୟୁନ ଶହେ ଦିନ କାମ ଯୋଗାଇ ଦେବା ପାଇଁ ମନରେଗା ଭଳି ବୃହତ୍ ଯୋଜନା କରିଛନ୍ତି। ହେଲେ ଦୁର୍ଗମ ତଥା ଆଦିବାସୀ ଅଧୁଷିତ ଅଞ୍ଚଳରେ କିଛି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଯୋଜନା ଏଠାରେ ଫେଲ୍ ମାରିଥିବା ଦେଖିବାକୁ ମିଳିଛି । ପଡିଆ ପଞ୍ଚାୟତ ଅନ୍ତର୍ଗତ ଭେଞ୍ଚନପଲ୍ଲୀ ଗ୍ରାମରେ ହୋଇଥିବା ୩ଟି ସକପିଟ୍ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ମନରେଗାରେ କରାଯାଇଥିବା ବେଳେ ଏଥିପାଇଁ ଏକ ପ୍ରୋକଲିନ୍ ବ୍ୟବହାର କରାଯାଇ ଖୋଦେଇ କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଏକ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ତେବେ ବିଭାଗ ଦ୍ଵାରା ଏହି କାମକୁ ସ୍ଥାନୀୟ ଲୋକେ କରିଥିବା ନେଇ ମାଷ୍ଟର ରୋଲ କାଢ଼ିବା ଦୁର୍ନୀତିର ସ୍ପଷ୍ଟ ଚିତ୍ରକୁ ଦର୍ଶାଉଛି ।
ଅନ୍ୟପଟେ ଏ ବାବଦରେ ସ୍ଥାନୀୟ ଏପିଓଙ୍କୁ ପଚାରିବାରୁ ସେ ଏ ବାବଦରେ ସୂଚନା ପାଇଥିବା ବେଳେ ଏହାର ତଦନ୍ତ କରାଯାଉଥିବା କହିଛନ୍ତି । ଗରିବ ଓ ଅସହାୟଙ୍କୁ କାମ ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ମନରେଗାରେ ବିଭିନ୍ନ ପ୍ରକଳ୍ପ କରାଯାଉଥିବା ବେଳେ ରାତି ଅଧିଆ ଏଭଳି ମେସିନରେ କାମ କରାଯିବା ନିଶ୍ଚିତ ଭାବରେ ବିଭାଗର ଢ଼ିଲା ପଣକୁ ପଦାରେ ପକାଇଛି । ଏହି ଘଟଣା ସହ ପଡିଆ ପଞ୍ଚାୟତରେ ନିର୍ମାଣାଧୀନ ମନରେଗା ପ୍ରକଳ୍ପ ଗୁଡ଼ିକର ସଠିକ୍ ଯାଞ୍ଚ କଲେ ଏକ ବଡ଼ ଧରଣର ଦୁର୍ନୀତି ପଦାକୁ ଆସିବ ବୋଲି ଆଲୋଚନା ହେଉଛି ।