ବାରିପଦା – ମୟୂରଭଞ୍ଜ ଜିଲ୍ଲା ସହ ପଡେ଼ାଶୀ ବାଲେଶ୍ୱର ଓ ଭଦ୍ରଖ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମହିଳାଙ୍କ ନିକଟରୁ ସୁନା ଗହଣା ଲୁଟପାଟ କରୁଥିବା ୨ ଜଣ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ମୟୂରଭଞ୍ଜ ଜିଲ୍ଲା ପୁଲିସ ଗିରଫ କରିଛି । ଏଥି ସହିତ ଲୁଟ ଗହଣାକୁ କିଣୁଥିବା ଅଭିଯୋଗରେ ଜଣେ ଗହଣା ଦୋକାନର ମାଲିକଙ୍କୁ ପୁଲିସ ଗିରଫ କରିବା ସଙ୍ଗେ ସଙ୍ଗେ ଏହି ୩ ଜଣଙ୍କ ନିକଟରୁ ମୋଟ ୮୬୮ ଗ୍ରାମ ସୁନା , ଏକ ପଲସର ବାଇକ ଜବତ କରାଯାଇଛି । ଗିରଫ ହୋଇଥିବା ୨ ଲୁଟେରାଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୋବିନ୍ଦା ଗ୍ରାମର ରବୀନ୍ଦ୍ର ନାୟକ ଓରଫ ରେପିଷ୍ଟ(୨୭) ଏବଂ କୁକୁଣ୍ଡେଇ ଗ୍ରାମର ଦୀପକ ଜେନା ଓରଫ କାହ୍ନା(୨୨) ରହିଥିବା ବେଳେ ଲୁଟ ଗହଣାକୁ କିଣୁଥିବା ଅଭିଯୋଗରେ ସିଙ୍ଗାରପୁର ଗ୍ରାମର ଦୀପକ କୁମାର ରଣା(୩୦) ରହିଛନ୍ତି । ଅଭିଯୁକ୍ତମାନେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବେଶ କରିବା ସମୟରେ ବାଇକରେ ଗୋଟାଏ ନମ୍ବର ପ୍ଲେଟ ବ୍ୟବହାର କରୁଥିବା ସମୟରେ ବାଲେଶ୍ୱରରେ ଅନ୍ୟ ଗୋଟାଏ ନମ୍ବର ପ୍ଲେଟ ବ୍ୟବହାର କରି ପୁଲିସକୁ ଚକ୍କମା ଦେଇ ଆସୁଥିଲେ ବୋଲି ଆଜି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ । ତେବେ ଗତ ନଭେମ୍ବର ୫ରେ ଉଦଳା ଥାନା ନାଗପାଳରେ ଶକୁନ୍ତଳା ରାଉତ(୫୦)ଙ୍କ ନିକଟରୁ ଅଭିଯୁକ୍ତ ଦ୍ୱୟ ଦିନ ଦ୍ୱିପ୍ରହରରେ କରିଥିବା ଛିନ୍ନତାଇ ମାମଲାରେ ଉଦଳା ପୁଲିସ ତଦନ୍ତ କରୁଥିବା ସମୟରେ ସିସିଟିଭି ଫୁଟେଜରେ ମାଧ୍ୟମରେ ଏହି ଦୁଇ ଜଣଙ୍କୁ ଚିହ୍ନଟ କରାଯିବା ପରେ ଉଦଳା ବସଷ୍ଟାଣ୍ଡ ନିକଟରୁ ଗିରଫ କରାଯାଇଥିଲା । ଏଥି ସହିତ ସେମାନଙ୍କୁ ତଲାସୀ ନେବା ସମୟରେ ଶକୁନ୍ତଳା ରାଉତଙ୍କ ନିକଟରୁ ଛିନ୍ନତାଇ କରିଥିବା ସୁନା ହାର ଓ ସୋର ଅଂଚଳରୁ ଲୁଟ କରିଥିବା ଅନ୍ୟ ଏକ ସୁନା ଚେନକୁ ପୁଲିସ ଜବତ କରିଥିଲା । ପୁଲିସ ପକ୍ଷରୁ ଗିରଫ ହୋଇଥିବା ରବୀନ୍ଦ୍ର ନାୟକ ଓରଫ ରେପିଷ୍ଟ(୨୭) ଏବଂ ଦୀପକ ଜେନା ଓରଫ କାହ୍ନା(୨୨)ଙ୍କୁ ପଚାରାଉଚରା କରିବା ସମୟରେ ସେମାନେ ବିଭିନ୍ନ ଚୋରୀ ଓ ଲୁଟରେ ଘଟଣାରେ ସମ୍ପୃକ୍ତ ରହିଥିବା ଏବଂ ଚୋରୀ ଗହଣାକୁ ବସ୍ତା ଥାନା ସିଙ୍ଗାରପୁରର ଗହଣା ବ୍ୟବସାୟୀ ଦୀପକ କୁମାର ରଣାଙ୍କୁ ବିକ୍ରି କରିଥିବାର ସ୍ୱୀକାର କରିଥିଲେ । ଏହାପରେ ମୟୂରଭଞ୍ଜ ପୁଲିସ ବସ୍ତା ଥାନା ପୁଲିସ ସହାୟତାରେ ଦୀପକଙ୍କ ଗହଣା ଦୋକାନ ଉପରେ ଚଢ଼ାଉ କରିଥିଲା ଏବଂ ଦୋକାନର ମାଲିକ ଦୀପକ କିଣୁଥିବା ସୁନାକୁ ତରଳାଇ ନୂଆ ଗହଣା ଗଢ଼ି ବିକ୍ରି କରୁଥିବାର ପୁଲିସ ସମ୍ମୁଖରେ ମାନିଥିଲା । ଦୀପକର ଗହଣା ଦୋକାନ ଉପରେ ପୁଲିସ ପକ୍ଷରୁ ଚଢ଼ାଉ ସମୟରେ ଜବତ ହୋଇଥିବା ସୁନା ଓ ଗହଣା ଆଦିର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଚୋରୀ ସୁନା କିଣିବା ଅଭିଯୋଗରେ ଗିରଫ କରାଯିବା ସହ ଦୀପକଙ୍କ ନାମରେ ଆଇପିସି ଧାରା ୩୯୪, ୪୧୧,୪୧୩ ଅନୁସାରେ ମାମଲା ରୁଜୁ କରାଯାଇଛି । ସେହିପରି ରବୀନ୍ଦ୍ର ନାୟକ ଓରଫ ରେପିଷ୍ଟ(୨୭) ଏବଂ ଦୀପକ ଜେନା ଓରଫ କାହ୍ନା(୨୨)ଙ୍କ ନାମରେ ମଧ୍ୟ ଆଇପିସି ଧାରା ୩୯୪ ଅନୁସାରେ ମାମଲା ରୁଜୁ କରାଯାଇଛି । ଏଥି ସହିତ ଏହି ଦୁଇ ଲୁଟେରାଙ୍କ ନାମରେ ବାରିପଦା ଟାଉନ ଥାନାରେ ୫ , ଉଦଳା ଥାନାରେ ୨, ବେତନଟୀ ଥାନାରେ ୪ ଓ ସୋର ଥାନାରେ ୪ ଟି ଏହି ପରି ମୋଟ ୧୫ଟି ମାମଲା ରହିଛି ବୋଲି ଏସପି ସ୍ମିଥ ପି ପରମାର ପ୍ରକାଶ କରିଛନ୍ତି । ଏଥି ସହିତ ଅଭିଯୁକ୍ତ ଦ୍ୱୟ ପୂର୍ବରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଧରାପଡ଼ି ଏକାଧିକ ଥର ଜେଲ ଯାଇଥିବାର ରେକଡର଼୍ ରହିଛି । ବାରିପଦା ଟାଉନ ଥାନା ଅଂଚଳରୁ ବିଭିନ୍ନ ସମୟରେ ମହିଳାମାନଙ୍କ ବେକରୁ ଛିନ୍ନତାଇ ଏବଂ ହାତ ସଫେଇ ମାଧ୍ୟମରେ ଭୂଲାଇ ଗହଣା ଲୁଟ କରିବା ପରେ ସେହି ସବୁ ଗହଣାକୁ ବିକ୍ରି ନକରି ବାଲେଶ୍ୱରରେ ଏକ ଘରୋଇ ସଂସ୍ଥାରେ ବନ୍ଧକ ରଖୁଥିଲେ ବୋଲି ଏସପି ପ୍ରକାଶ କରିଛନ୍ତି ।
Related Stories
November 23, 2024