ବଲାଙ୍ଗିର, ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ”ରଚନା” ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନରେ କବି, ଗାଳ୍ପିକ ଓ ଚିତ୍ରଶିଳ୍ପୀ ସ୍ଵର୍ଗତ ଗଗନ ସ୍ଵାଇଁ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ”ରଚନା”ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ “ଆମ ଜୀବନ ଆମ ସାହିତ୍ୟ” ଶୀର୍ଷକରେ କବି ସୁଧା ଦାଶ ସାରଗର୍ଭକ ବକ୍ତବ୍ୟ ରଖି ଆମ ଜୀବନ ଓ ସାହିତ୍ୟ ପରସ୍ପର ସହିତ ଘନିଷ୍ଠ ଭାବେ ଜଡିତ ଏବଂ ସାହିତ୍ୟ ଜୀବନର କଥା କହେ ବୋଲି ମତବ୍ୟକ୍ତ କରିଥିଲେ। ଶାସ୍ତ୍ରୀୟ ହେଉ କି ଆଧୁନିକ ସାହିତ୍ୟ, ଲୋକଗୀତ ହେଉ କି ଲୋକକଥା, ସବୁଥିରେ ମଣିଷ ଜୀବନର ଅନ୍ତରଙ୍ଗ ଚିତ୍ର ଶବ୍ଦରୂପରେ ପ୍ରକାଶ ପାଏ । ”ରଚନା”ର ସମ୍ପାଦକ କବି ଭାଗିରଥି ମିଶ୍ରଙ୍କ ପ୍ରାରମ୍ଭିକ ସୂଚନା ପରେ ଗଗନ ସ୍ଵାଇଁଙ୍କ କବିତା ପାଠ କରିଥିଲେ କବି ନବୀନ ବିଶ୍ବବନ୍ଧୁ ଓ କବି ସବିତା ମହରା ଏବଂ ଗଳ୍ପ ପାଠ କରିଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ।
ଏହି ଅବସରରେ ”ରଚନା” ଦ୍ଵାରା ପ୍ରକାଶିତ କବି ବୈଷ୍ଣବ ପାଣିଗ୍ରାହୀଙ୍କ ଦ୍ଵିତୀୟ କବିତା ସଂକଳନ ”ଆତ୍ମୀୟ ଅନ୍ଧାର” ଉନ୍ମୋଚିତ ହୋଇଥିଲା। ନିଜ କାବ୍ୟଯାତ୍ରା ସମ୍ପର୍କରେ କବିଙ୍କ ବକ୍ତବ୍ୟ ପରେ ସଂକଳନରୁ କବିତା ପାଠ କରିଥିଲେ କବି ମଧୁସୂଦନ ନେଗୀ ଓ କବି ବନ୍ଦନା ପଟ୍ଟନାୟକ। ଏହି ସଭାରେ ସହରର ବହୁ କବି, ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ”ରଚନା”ର ସଦସ୍ୟ କବି ରତ୍ନମୟ ତ୍ରିପାଠୀ।