
ରାୟଗଡ଼ା, ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତି ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି ହଇଜା । ଆଜି ଆଉ ଦୁଇ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ହାଡ଼ିଗୁଡ଼ା ପଚାଂୟତ କୁଗୁପୁଟରେ ଜଣେ ମହିଳାଙ୍କ ଆକ୍ରାନ୍ତ ଓ ଟିକିରି ପଚାଂୟତ ଅନ୍ତର୍ଗତ ଜାମୁଗୁଡ଼ରେ ଜଣେ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ବ୍ଲକରେ ଝାଡ଼ାବାନ୍ତିଜନିତ ମୃତ୍ୟୁ ସଂଖ୍ୟା ବେସରକାରୀ ଭାବେ ୧୦ କୁ ବୃଦ୍ଧି ପାଇଛି । ବ୍ଲକରେ ୩ ଶହରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଥିବା ଜଣାପଡିଛି ।
ପ୍ରାୟ ୨ ସପ୍ତାହରୁ ଉର୍ଦ୍ଧ୍ଵ ସମୟ ହେଲା କାଶୀପୁରରେ ହଇଜା ବ୍ୟାପିବା ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ଏହା ଥମିବା ନାଁ ଧରୁନି । ଏବେ କାଶୀପୁରର ୧୫ ପଚାଂୟତର ୧୮୦ରୁ ଉର୍ଦ୍ଧ୍ଵ ଗାଁକୁ ବ୍ୟାପି ସାରିଲାଣି ହଇଜା । ଗତ ୧୪ ତାରିଖ ରାତିରେ ଟିକିରି ଝଡ଼ିଆସାହିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ତାରିଖରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ୧୬ ତାରିଖରେ ରାୟଗଡ଼ା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣକର ମୃତ୍ୟୁ ଘଟିଥିଲା । ପରେ ଅନ୍ୟ ଜଣକର ମଧ୍ୟ ମୃତ୍ୟୁ ଘଟିଥିଲା । ଗତ ୨୩ ତାରିଖରେ ଦୁଡ଼ୁକାବାହାଲ ପଚାଂୟତ ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମର ଅର୍ଜୁନ ଜାନିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ହଇଜା ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ କାଶୀପୁରରେ ୨ଟି ଅସ୍ଥାୟୀ ସ୍ଵାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଗାଁକୁ ଗାଁ ବୁଲି ଆକ୍ରାନ୍ତଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଉଛନ୍ତି ସ୍ଵାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଏହାସତ୍ବେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବାରୁ ଲୋକେ ଛାନିଆ ହୋଇ ପଡ଼ିଛନ୍ତି ।
ଅନ୍ୟପକ୍ଷରେ ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ । ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି ବୋଲି ପୂର୍ବରୁ କହିସାରିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ।