ଭୁବନେଶ୍ୱର, ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହାର ଅଂଶବିଶେଷ ସ୍ବରୂପ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ‘‘ଉଜ୍ଜ୍ବଳ ଭାରତ – ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @2047’’ ସମାରୋହ । ଶକ୍ତି କ୍ଷେତ୍ରରେ ଦେଶର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଲୋକଲୋଚନକୁ ଆଣିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଯାଉଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଶକ୍ତିର ଆବଶ୍ୟକତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରିବା ଏବଂ ସ୍ବାଧୀନତା ପରେ ବିଦ୍ୟୁତ ଶକ୍ତି କ୍ଷେତ୍ରରେ ହୋଇଥିବା ପ୍ରଗତି ବିଷୟରେ ସମସ୍ତଙ୍କୁ ଜଣାଇବା । ଏହି ଅବସରରେ ବିଦ୍ୟୁତ ଶକ୍ତି ସଂରକ୍ଷଣ, ଉପଭୋକ୍ତା ଅଧିକାର, ପ୍ରତ୍ୟେକ ଘରକୁ ବିଦ୍ୟୁତ ସଂଯୋଗ, ଭବିଷ୍ୟତ ପାଇଁ ଶକ୍ତି ସଂରକ୍ଷଣ ଏବଂ ଅକ୍ଷୟ ଶକ୍ତି ଉତ୍ସ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ । ଚଳଚ୍ଚିତ୍ର ପ୍ରଦର୍ଶନ, ପଥପ୍ରାନ୍ତ ନାଟକ ଏବଂ ସାଂସ୍କୃତିକ ପ୍ରଦର୍ଶନୀ ମାଧ୍ୟମରେ ଏ ସମସ୍ତ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରାଯିବ ।
ମୟୂରଭଞ୍ଜ ଜିଲ୍ଲାର ଦୁଇଟି ସ୍ଥାନରେ ଏହି ସମାରୋହ ଅନୁଷ୍ଠିତ ହେବ । ଜୁଲାଇ ୨୭ ତାରିଖରେ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଏବଂ ୨୮ ତାରିଖରେ ବାରିପଦା ସହିଦ ସ୍ମୃତି ଭବନ ଠାରେ ଅପରାହ୍ଣ ୩ଟାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
ସରକାର, ଜିଲ୍ଲା ପ୍ରଶାସନ, ଇଆରଏଲଡିସି ପୋସୋକୋ, ଓପିଟିସିଏଲ ଏବଂ ଟିପିଏନଓଡିଏଲର ମିଳିତ ସହଯୋଗରେ ଜିଲ୍ଲାର ଦୁଇଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଏହାକୁ ସଫଳ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।