-
ଅଗଷ୍ଟ ୮ରେ କଳା ରେଜଲ୍ଟ
ଭୁବନେଶ୍ୱର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଅପରାହ୍ନ ୫ଟାରୁ ଛାତ୍ରଛାତ୍ରୀମାନେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଡିଶା ରେଜଲ୍ଟସ୍ ଡଟ୍ ଏନଆଇସି ଡଟ୍ ଇନ୍ ବା ସାମସ୍ ଇ ସ୍ପେସ୍ ୱେବସାଇଟ୍ ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ବିଜ୍ଞାନରେ ୭୬ ହଜାର ୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୭୨,୧୦୬ ଜଣ ପିଲା ପାସ୍ କରିଛନ୍ତି । ବାଳକ ପାସ ହାର ୯୩.୮୦ ସହ ୪୫,୫୮୬ ହୋଇଥିଲା ବେଳେ ବାଳିକା ପାସ୍ ହାର ୯୪.୫୨ ପ୍ରତିଶତ ଅର୍ଥାତ ୩୨,୫୧୯ । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୦,୧୫୭, ଦ୍ୱିତୀୟ ଶ୍ରେଣୀରେ ୧୪,୯୩୨ ଓ ତୃତୀୟରେ ୬୯୧୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୧୧୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ୩୯୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ ହୋଇପାରିଛି । ଏଥର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୯୯.୧୧ ପ୍ରତିଶତ ଏବଂ କନ୍ଧମାଳ ସର୍ବନିମ୍ନ ୭୬.୮୧ ପ୍ରତିଶତ ପିଲା ପାସ୍ କରିଛନ୍ତି ।
ସେହିପରି ଚଳିତବର୍ଷ ବାଣିଜ୍ୟରେ ୨୩, ୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପାସ୍ କଲେ ୨୧, ୧୬୫ ଛାତ୍ରଛାତ୍ରୀ । ପାସ୍ ହାର ୮୯.୨୦% ରହିଛି । ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ମୋଟ ୧୦, ୮୬୩ ପିଲା । ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବାଳକ ପାସ୍ ହାର- ୮୮.୩୨% ରହିଥିବା ବେଳେ ବାଳିକା ପାସ୍ ହାର ୯୦.୭୧% ରହିଛି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ । ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବୌଦ୍ଧ ସର୍ବାଧିକ ୧୦୦%, ଦେବଗଡ଼ ସର୍ବନିମ୍ନ ୬୧.୫୩% ପାସ୍ କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ବୁଧବାର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ପ୍ରକାଶ କରାଯାଇଛି । କଳା ଓ ଧନ୍ଦାମୂଳକ ବିଭାଗର ଉତର ଖାତା ମୂଲ୍ୟାୟନ ଶେଷ ହୋଇଛି । ଏବେ ଟାବୁଲେସନ ଜାରି ରହିଛି । ଅଗଷ୍ଟ ୮ ତାରିଖରେ ଉକ୍ତ ଦୁଇ ବିଭାଗର ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରେ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଥିବାବେଳେ ବିଜ୍ଞାନରେ ୭୮ ହଜାର ୭୩, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଅଛନ୍ତି । ଚଳିତ ବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାର ପଦ୍ଧତି ଆପଣାଯାଇଥିଲା । ଯେଉଁଥିରେ ପିଲାମାନଙ୍କ ମାର୍କ ଅଧିକ ହେବ, ତାକୁ ସଂପୃକ୍ତ ବିଷୟର ଚୁଡାନ୍ତ ମାର୍କ ଭାବେ ବିଚାର କରାଯାଇଛି । ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ ପରୀକ୍ଷା ପରେ ଏଥର ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ ।