ବଲାଙ୍ଗିର, ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥସ୍ଥଳୀ ହରିଶଙ୍କରରେ ଶ୍ରାବଣର ଦ୍ଵିତୀୟ ସୋମବାର ଉପଲକ୍ଷେ ଗତକାଲି ହଜାର ହଜାର ସଂଖ୍ୟାରେ ବୋଲ୍ବମ୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ଛତିଶଗଡ ରାଜ୍ୟରୁ ଅନେକ ବୋଲ୍ବମ୍ ଭକ୍ତ ହରିଶଙ୍କର ଶିବ ମନ୍ଦିରକୁ ପାଣି ଢାଳିବାକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଶ୍ରଦ୍ଧାଳୁଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ନହରପଡା ପଣ୍ଡରି ରାୟପୁର ଛତିଶଗଡ ରାଜ୍ୟର ଲକି ଭୁୱାଲ(୩୦) ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗମାନଙ୍କ ସହିତ ଗତକାଲି ସୋମବାର ସକାଳ ୬ଟାରୁ ନୃସିଂହନାଥ ପାହାଡ଼ ଦେଇ ହରିଶଙ୍କର ମନ୍ଦିରରେ ପାଣି ଢାଳିବାକୁ ଆସୁଥିଲେ । ମୃତ ବ୍ୟକ୍ତିଙ୍କ ସାଙ୍ଗମାନଙ୍କ କହିବା ଅନୁଯାୟୀ, ପାହାଡ଼ ଉପରେ ଭୀମମଡୋ ଠାରେ ମୁଣ୍ଡ ବୁଲାଇ ଲକି ପଡିଯାଇଥିଲେ । ଏହା ଦେଖି ସେମାନେ ହରିଶଙ୍କର ଫାଣ୍ଡିକୁ ଫୋନ କରି ଏ ବିଷୟରେ ଜଣାଇଥିଲେ । ହରିଶଙ୍କର ପୁଲିସ ଖପ୍ରାଖୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗରୁ ଓଆଇସି ଚୂଡ଼ାମଣି ପିଙ୍ଗ ତାଙ୍କ ଟିମ୍ ସହ ପାହାଡ଼ ଉପରକୁ ଯାଇ ଲକିକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ସେୱାନ କେରକେଟା ଖପ୍ରାଖୋଲ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ୍ ନଂ ୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।