-
ବିଧାନସଭାରେ ଅନେକ ବିଧାୟକ କଲେ ସମାନ ଦାବି
ଭୁବନେଶ୍ୱର, ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଓ କଲ୍ୟାଣ ମଣ୍ଡପ ସ୍ଥାପନା କରା ଯାଉ । ଏହା ଦ୍ୱାରା ଲୋକ ମାନଙ୍କୁ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ଗୁଡିକ କରା ଯିବାରେ ସୁବିଧା ହେବ । ଏ ନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ମାନେ ଦାବି କରିଛନ୍ତି । ସଭ୍ୟ ରମେଶ ଚନ୍ଦ୍ର ସାଏଙ୍କ ଏ ସମ୍ପର୍କିତ ପ୍ରଶ୍ନ ଉପରେ ପ୍ରଶ୍ନକାଳରେ ଆଲୋଚନା ବେଳେ ଅନେକ ବିଧାୟକ ଏହି ଦାବି କରିଥିଲେ ।
ରାଜ୍ୟର ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ କ୍ରିଏସନ ଅଫ କ୍ୟାପିଟାଲ ଆସେଟରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରା ଯାଉଛି । ଏଥିରେ ବିଧାୟକ ପାଣ୍ଠି, ସାଂସଦ ପାଣ୍ଠି, ମହାତ୍ମା ଗାନ୍ଧୀ ନରେଗା ଓ ଯେଉଁ ଜିଲ୍ଲା ମାନଙ୍କରେ ଡିଏମଏଫ ଫଣ୍ଡ ରହିଛି ସେଥିରୁ ଅର୍ଥ ମିଶାଇ ବିଭିନ୍ନ ପଂଚାୟତରେ କଲ୍ୟାଣ ମଣ୍ଡପ ତିଆରି କରା ଯିବାକୁ ବ୍ୟବସ୍ଥା କରା ଯାଉଛି ।
ବିଧାୟକ ମାନେ କ୍ରିଏସନ ଅଫ କ୍ୟାପିଟାଲ ଆସେଟରେ ପ୍ରଦାନ କରା ଯାଉଥିବା ୧୦ ଲକ୍ଷ ଟଙ୍କାର ରାଶିକୁ ବୃଦ୍ଧି କରି ୨୫ ଲକ୍ଷ କରିବାକୁ ପଂଚାୟତିରାଜ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ପଂଚାୟତିରାଜ ମନ୍ତ୍ରୀ ମଧ୍ୟ ଏହାକୁ ନେଇ ବିଚାର କରା ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।