-
ମହାମହିମ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି – ଧର୍ମେନ୍ଦ୍ର ପ୍ରଧାନ
-
ଶପଥ ସମାରୋହରେ ‘ଜୟ ଜଗନ୍ନାଥ’ ଧ୍ୱନିରେ ସଂସଦ ଭବନ ଗୁଞ୍ଜରିତ ହେବା ଆନନ୍ଦର ବିଷୟ
-
ମହାମହିମ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ପାଇକ କ୍ରାନ୍ତି ଉଲ୍ଲେଖ ଓଡ଼ିଆ ସମାଜ ପାଇଁ ବଡ଼ ସମ୍ମାନ
-
ପ୍ରଧାନମନ୍ତ୍ରୀ ଓ ଏନଡ଼ିଏର ନିଷ୍ପତି କାରଣରୁ ଓଡ଼ିଶାର ଜନଜାତି ମହିଳା ରାଷ୍ଟ୍ରପତି ହୋଇଛନ୍ତି
-
ଭୀମ ଭୋଇଙ୍କ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛନ୍ତି
-
ଶ୍ରୀମତୀ ମୁର୍ମୁଙ୍କ ବିଜୟରେ ଗଣତନ୍ତ୍ର ଓ ଜନତାଙ୍କ ବିଜୟ ହୋଇଛି ଏବଂ ବିଜୟର ସବୁଠୁ ବଡ଼ ସମ୍ମାନ ଓଡ଼ିଆ ଜାତିକୁ ମିଳିଛି
-
ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେରଣାଦାୟୀ ଭାଷଣ ପାଇଁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନରେ ସୋମବାର ଆୟୋଜିତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ । ଏ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରି କହିଛନ୍ତି ଆଜି ଦେଶ ଅମୃତ ମହୋତ୍ସବ ପାଳନ କରିବା ସହ ଆଗାମୀ 25 ବର୍ଷର ଅମୃତ କାଳ ପାଇଁ ନିଜକୁ ପ୍ରସ୍ତୁତ କରୁଅଛି । ଏହି ସମୟରେ ସମାଜର ଅନ୍ତିମ ଶ୍ରେଣୀର ମହିଳା ଆଦରଣୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ଏନଡ଼ିଏ ଓ ସାରା ଭାରତର ଅନେକ ରାଜନୈତିକ ଦଳ ମାନଙ୍କର ସମର୍ଥନ କାରଣରୁ ସେ ରାଷ୍ଟ୍ରପତି ହୋଇପାରିଛନ୍ତି । ଏହା ଆମ ଦେଶର ଗଣତନ୍ତ୍ରର ସବୁଠୁ ବଡ଼ ଉପହାର । ଶ୍ରୀମତୀ ମୁର୍ମୁଙ୍କ ବିଜୟରେ ଗଣତନ୍ତ୍ର ଓ ଜନତାଙ୍କ ବିଜୟ ହୋଇଛି ଏବଂ ବିଜୟର ସବୁଠୁ ବଡ଼ ସମ୍ମାନ ଓଡ଼ିଆ ଜାତିକୁ ମିଳିଛି । ଜଣେ ଓଡ଼ିଆ ଭାବରେ ଏଥିପାଇଁ ମୁଁ ଗୌରବାନ୍ୱିତ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜି ଦେଶ ପାଇଁ ଏକ ସ୍ୱର୍ଣ୍ଣିମ ଓ ସ୍ମରଣୀୟ ମୂହୁର୍ତ୍ତ । ଓଡ଼ିଶାର ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସାଧାରଣ ପରିବାରରୁ ତାଙ୍କର ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାତ୍ରା ପାଇଁ ଆଜି ସମଗ୍ର ଓଡ଼ିଶା, ଭାରତବର୍ଷ, ମହିଳା ଓ ଜନଜାତି ସମୁଦାୟ ଗର୍ବିତ । ଆଜି ତାଙ୍କର ଶପଥ ଗ୍ରହଣ ଅବସରରେ ଓଡ଼ିଆ ଜନଜୀବନ, ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଆ ବୀର କାହାଣୀର ଝଲକ ଦେଖିବାକୁ ମିଳିଲା । ଜୟ ଜଗନ୍ନାଥ ନାରାରେ ସଂସଦ ଭବନର ସେଣ୍ଟରାଲ ହଲ୍ ଗୁଞ୍ଜରିତ ହେଲା, ଯାହା ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ । ସେହିପରି ଲଗାତାର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ, ଶ୍ରୀ ରାମନାଥ କୋବିନ୍ଦଙ୍କ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶପଥ ନେବା ଅବସରରେ ଭାରତର ସଂଘର୍ଷର କାହାଣୀକୁ ବର୍ଣ୍ଣନା କଲା ବେଳେ ପାଇକ କ୍ରାନ୍ତି କଥା ଉଲ୍ଲେଖ କଲେ । ଏହା ଓଡ଼ିଆ ଜାତି ଓ ଓଡ଼ିଆ ସମାଜ ପାଇଁ ଆଉ କିଛି ବଡ଼ ସମ୍ମାନ ହୋଇ ନପାରେ ।
ସମ୍ବୋଧନ ବେଳେ ମହାମହିମ ରାଷ୍ଟ୍ରପତି ଦେଶର ଶାସନ ବ୍ୟବସ୍ଥାର ଗରିବ କଲ୍ୟାଣକୁ ବର୍ଣ୍ଣନା କରି ଓଡ଼ିଶାର ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ମହାତ୍ମ୍ୟକୁ ଉଲ୍ଲେଖ କରିଥିଲେ । ସଂସଦ ଭବନର ସେଣ୍ଟରାଲ ହଲରୁ ଏହି ଉକ୍ତିର ଓଡ଼ିଆ ଉଚ୍ଚାରଣ କରି ସମସ୍ତଙ୍କୁ ଗୌରବାନ୍ୱିତ କରିଛନ୍ତି । ସେହିପରି ସନ୍ଥକବି ଭୀମ ଭୋଇଙ୍କ ଚିରନ୍ତନ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ମୋଦି ଗରିବ କଲ୍ୟାଣ ଓ ନାଗରିକଙ୍କ ସଶକ୍ତିକରଣ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଓଡ଼ିଶାର ଜଣେ ସାଧାରଣ ମହିଳା ଅଧିଷ୍ଠିତ ହେବାର ଦେଖି ନିଜକୁ ଓଡ଼ିଆ ଭାବରେ ଗର୍ବିତ ଅନୁଭବ କରୁଅଛି । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଉଦବୋଧନ ବ୍ୟକ୍ତିଗତ ଜୀବନ, ଓଡ଼ିଆ ଇତିହାସ, ସଂସ୍କୃତି, ଜନଜାତି ପରମ୍ପରା, ଭାରତର ସମୃଦ୍ଧ ଐତିହ୍ୟ,ବିବିଧତା ଓ ସୁଦୃଢ଼ ଗଣତନ୍ତ୍ରର ପ୍ରତିଫଳନ । ଶ୍ରୀମତୀ ମୁର୍ମୁ ଭାରତର ସ୍ୱାଧୀନତା ସଂଗ୍ରାମରେ ପାଇକ, ସାନ୍ତାଳ, କୋଲ୍ ଓ ଭିଲ୍ ଜନଜାତିର ବୀରତ୍ୱକୁ ସ୍ୱୀକୃତି ଆମ ସମୃଦ୍ଧ ଜନଜାତି ସଂପ୍ରଦାୟଙ୍କ ଯୋଗଦାନ ଏବଂ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କୁ ମାନ୍ୟତା ପ୍ରଦାନ କରିବାରେ ଆମର ପ୍ରୟାସକୁ ଦୃଢ଼ିଭୂତ କରିବ । ଓଡ଼ିଆ ଲୋକ ଓ ସମଗ୍ର ଭାରତବର୍ଷ ପାଇଁ ଗୌରବର ଦିନ । ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ଅତୁଟ ରହୁ ବୋଲି ସେ କହିଛନ୍ତି ।
ଏହାବ୍ୟତିତ ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେରଣାଦାୟୀ ଭାଷଣ ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇବା ସହ କହିଛନ୍ତି ଶ୍ରୀମତୀ ମୁର୍ମୁଙ୍କ ଉଦବୋଧନ କୋଟି କୋଟି ଜନତାଙ୍କ ହୃଦୟକୁ ଛୁଇଁ ପାରିଛି । ‘ବଡ଼ ସ୍ୱପ୍ନ ଦେଖ ଏବଂ ତାହାକୁ ପୂରଣ କର’, ଭାରତୀୟଙ୍କ ମନରେ ଏଭଳି ଏକ ବିଶ୍ୱାସ ଜାଗ୍ରତ କରିଥିବାରୁ ତାଙ୍କୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି।