ନୂଆଦିଲ୍ଲୀ, ଋାଷ୍ଟ୍ରପତି ଭାବେ ମୋର ନିର୍ବାଚନ କୋଟି କୋଟି କୋଟି ଭାରତୀୟଙ୍କର ବିଶ୍ୱାସର ପ୍ରତିବିମ୍ବ ବୋଲି କହିଛନ୍ତି ଶ୍ରୀମତୀ ମୁର୍ମୂ । ଶପଥ ଗ୍ରହଣ ପରେ ସେ ତାଙ୍କ ଉଦବୋଧନରେ ଏହା କହିଛନ୍ତି । ସେ କହିଛନ୍ତି ଯେ -ଏକ ଗରୀବ ଘରେ ଜନ୍ମ ନେଇଥିବା ଝିଅ, ଦୂର ସୁଦୂର ଜନଜାତୀୟ ଅଂଚଳରେ ଜନ୍ମ ନେଇଥିବା ଝିଅ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଂଚି ପାରିବା ହେଉଛି ଭାରତର ଗଣତନ୍ତ୍ରର ଶକ୍ତି । ଏହା ମୋର ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ଏହା ଭାରତର ପ୍ରତ୍ୟେକ ଗରୀବର ଉପଲବ୍ଧି ଅଟେ । ତାଙ୍କର ନିର୍ବାଚନ ଏହାର ପ୍ରମାଣ ଯେ ଭାରତରେ ଗରୀବ ମାନେ ସ୍ୱପ୍ନ ମଧ୍ୟ ଦେଖି ପାରିବେ ଓ ତାକୁ ପୂରା ମଧ୍ୟ କରି ପାରିବେ ।
ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ନିର୍ବାଚିତ କରିଥିବାରୁ ସମସ୍ତ ସାଂସଦ ଓ ସମସ୍ତ ବିଧାନସଭାର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ଆପଣ ମାନଙ୍କର ମତ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି । ମୋତେ ରାଷ୍ଟ୍ରପତି ଭାବେ ଏପରି କାଳଖଣ୍ଡରେ ନିର୍ବାଚିତ କରା ଯାଇଛି ଯେତେବେଳେ ଆମେ ଦେଶର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛନ୍ତି । ଆଜି ଠାରୁ କିଛି ଦିନ ପରେ ଦେଶ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ ।
ସେ ତାଙ୍କର ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ କବିତା ଆବୃତି କରିଛନ୍ତି । ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତେ ଉଦ୍ଧାର ହେଉ କହିଲେ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତୁ ସମସ୍ତେ ଏକଜୁଟ ହୋଇ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବା ।