ବାରିପଦା/ରାଇରଙ୍ଗପୁର, ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନର ସେଂଟ୍ରାଲ ହଲ୍ ରେ ଆଜି ଗୋଟିଏ ପଟେ ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ଚାଲିଥିବା ବେଳେ ଅନ୍ୟପଟେ ତାଙ୍କ ଗାଁ କୁସୁମି ବ୍ଲକର ଉପରବେଡ଼ା ଗ୍ରାମ, ତାଙ୍କ ଶ୍ଵଶୁର ଘର ସେହି ବ୍ଲକ ଅନ୍ତର୍ଗତ ପାହାଡ଼ପୁର ଗ୍ରାମ ଏବଂ ତାଙ୍କ ରାଇରଙ୍ଗପୁର ସ୍ଥିତ ବାସଭବନରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି ।
ଏହା ବ୍ୟତୀତ ରାଇରଙ୍ଗପୁର, ବହଳଦା, ତିରିଂ, ଜାମଦା, ଖୁଂଟା, କରଞ୍ଜିଆ, ବାଙ୍ଗିରିପୋଷି, ବାରିପଦା ଆଦି ବ୍ଲକ ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ଉତ୍ସବ ମନାଇଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ସମସ୍ତେ ଏକାଠି ହୋଇଛନ୍ତି । ଶହ ଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ବାଦ୍ୟର ତାଳେ ତାଳେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ମିଷ୍ଟାନ୍ନ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଦିବାସୀ ମାନେ ତାଙ୍କ ଇଷ୍ଟଦେବତା ଜାହିରାଙ୍କ ପୀଠରେ ଏକତ୍ରିତ ହୋଇ ଦୌପଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତୋରତାର ଉନ୍ନତି କାମନା କରିଛନ୍ତି ।
ସେହିପରି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପିଲାବେଳେ ପାଠ ପଢୁଥିବା ନିଜ ଗ୍ରାମ ସ୍କୁଲ ଉପରବେଡ଼ାରେ ଏବଂ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ରାଇରଙ୍ଗପୁର ସ୍ଥିତ ଅରବିନ୍ଦ ଇଂଟିଗ୍ରାଲ ସ୍କୁଲରେ ମଧ୍ୟ ଉତ୍ସବ ମନାଇଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ।
ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ଓ ବିଭିନ୍ନ ପ୍ରମୁଖ ସ୍ଥାନ ମାନଙ୍କରେ ଏଲଇଡି ବଡ ସ୍କ୍ରିନ ମାଧ୍ୟମରେ ଏହାର ସିଧା ପ୍ରସାରଣ ଦେଖୁଛନ୍ତି ଶହ ଶହ ସଂଖ୍ୟାରେ ଜନସାଧାରଣ ।