ମାଲକାନଗିରି, ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏନ.ଭି. ରମନ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।
ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ‘ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଏହା ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ଭାରତର ଗରିବମାନେ ସ୍ଵପ୍ନ ଦେଖିବା ସହ ତାହାକୁ ପୂରଣ ମଧ୍ୟ କରିପାରିବେ, ମୁଁ ରାଷ୍ଟ୍ରପତି ହେବା ତାହାର ଏକ ବଡ଼ ପ୍ରମାଣ ।ଏହା ସହ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ମୁଁ ମୋ ଜୀବନ ଯାତ୍ରା ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି । ମୁଁ ଯେଉଁ ପୃଷ୍ଠଭୂମିରୁ ଆସିଛି, ସେଠାରେ ମୋ ପାଇଁ ପ୍ରାରମ୍ଭିକ ପାଠପଢ଼ିବା ମଧ୍ୟ ଏକ ସ୍ଵପ୍ନ ଥିଲା। ଅନେକ ବାଧା ପରେ ବି ମୋ ସଂକଳ୍ପ ଦୃଢ଼ ଥିଲା ଓ ଗାଁ ଭିତରେ ମୁଁ ହିଁ ପ୍ରଥମ ଝିଅ ଭାବେ କଲେଜ ଯାଇ ପାଠ ପଢ଼ିଥିଲି । ମୁଁ ଜନଜାତି ସମାଜରୁ ଆସିଥିବା ଜଣେ ସାଧାରଣ ଝିଅ । ତଥାପି ଧୈର୍ଯ୍ୟ ଓ ଦୃଢ ସଙ୍କଳ୍ପ ପାଇଁ ଜଣେ କାଉନସିଲରରୁ ଆଜି ଦେଶର ସର୍ବୋଚ୍ଚ ସାମ୍ବଧାନିକ ପଦବୀ ପଯ୍ୟନ୍ତ ପହଞ୍ଚିପାରିଛି । ଏହା ତାଙ୍କର ବ୍ୟକ୍ତିଗତ ଅନୁଭୂତି ନୁହେଁ ବରଂ ଦେଶର ଗଣତନ୍ତ୍ରର ଶକ୍ତି ତଥା ଭାରତ ବର୍ଷର ମହାନତା ବୋଲି କହିଥିଲେ। ଏହି ଶପଥ ପାଠ ଉତ୍ସବର ସିଧା ପ୍ରସାରଣ ଟିଭି ପରଦାରେ କିପରି ଛାତ୍ର ଛାତ୍ରୀ ମାନେ ଦେଖିବେ ସେଥିପାଇଁ ଆଜି ମାଥିଲି ବ୍ଳକ ମେକା ପଞ୍ଚାୟତ ସଦର ମହକୁମାରେ ଥିବା ମଙ୍ଗଳ ବିଭାଗ ସେବା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ବାରିକ ସମସ୍ତ ବ୍ୟବସ୍ଥା କରିଥିଲେ। ବିଦ୍ୟାଳୟର ହଲରେ ଟିଭି ଲଗାଯାଇଥିଲା। ଶପଥ ପାଠ ଉତ୍ସବ ଦେଖିବା ପାଇଁ ପିଲାମାନେ ଉତ୍ସାହର ସହ ବସି ରହିଥିଲେ। ଶହେରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କ ସହ ବିଦ୍ୟାଳୟର ସହକାରୀ ଶିକ୍ଷକ ମହେଶ୍ଵର ମାନ୍ଦ୍ରା, ଗୁରୁବନ୍ଧୁ ନାୟକ, ସୁଜିତ କପେ, ସହକାରୀ ଶିକ୍ଷୟତ୍ରୀ ସନ୍ତୋଷୀ ବେହେରା ଓ ମଧୁମିତା ଖରା ଏହି ଉତ୍ସବର ସିଧାପ୍ରସାରଣ ଦେଖିଥିଲେ। ପରେ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।