ଭୁବନେଶ୍ୱର , ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି । କଲିକତା ହାଇକୋର୍ଟ ରବିବାର ଦିନ ଏହି ନିର୍ଦ୍ଦେଶ ଦେବାପରେ ଇଡି ପକ୍ଷରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଣାଯାଇଥିଲା । ଚିକିତ୍ସା ପରେ ଭୁବନେଶ୍ୱର ଏମସ୍ ର ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ତାଙ୍କ ଅବସ୍ଥା ବର୍ତମାନ ସ୍ଥିର ରହିଛି । ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି । ତାଙ୍କୁ ଆଜି ହିଁ ଡିସଚାର୍ଜ କରିଦିଆଯିବ ।
ସୂଚନାଯୋଗ୍ୟ,ଗତ ଶନିବାର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଇଡି ଦ୍ୱାରା ଗିରଫ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସଏସକେଏମ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ରାଜ୍ୟ ସରକାରଙ୍କ ହସ୍ପିଟାଲରେ ଭର୍ତିକୁ ବିରୋଧ କରିଥିଲା ଇଡି । ତାଙ୍କୁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ଇଡି ହାଇକୋର୍ଟରେ ଆବେଦନ କରିଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପାର୍ଥଙ୍କୁ ଭୁବନେଶ୍ୱର ଏମ୍ସକୁ ସୋମବାର ସକାଳେ ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ସାଥୀରେ ତାଙ୍କ ଆଇନଜୀବୀ ଏବଂ ଏସଏସକେଏମର ଡାକ୍ତର ରହିବେ ।