କନ୍ଧମାଳ, ଯନ୍ତ୍ରୀ ଓ ଠିକାଦାର ମିଳିମିଶି ନିମ୍ନ ମାନର ତଥା ଉପର ଠାଉରିଆ ଭାବେ କାମ କରି ସିଂହ ଭାଗଅର୍ଥ ଚଳୁ କରିଦେବା ଫଳରେ ରାସ୍ତା କାମ ସରିବାର ମାସ କେଇଟାବି ଗଲାନି ଚଳିତ ଲଗାଣ ବର୍ଷାରେ ରାସ୍ତା ଫାଟି ଆଁ କରିବାସହ ଗାତ ହୋଇଯାଇଥିବା ଦେଖିବାକୁ ମିଳିଛି। ଅଭିଯୋଗ ହେବାପରେ ଯନ୍ତ୍ରୀଙ୍କ ମୋବାଇଲ ସୁଇଚ ଅଫ ଦେଖାଉଥିବା ବେଳେ ଠିକାଦାର କହୁଛନ୍ତି ବର୍ଷା ପୂର୍ବରୁ କାମ ସାରିବା ଲାଗି ବିଭାଗ ତରବର କରିବାରୁ ରାସ୍ତା କାମରେ କିଛିଟା ତ୍ରୁଟି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏଭଳି ଅଭିଯୋଗ ଆସିଛି କୋଟଗଡ଼ ଅଂଚଳରୁ । ଏଠାରେ ସୂଚନାଯୋଗ୍ୟ ଯେ, କୋଟଗଡ଼ ରାଜ୍ୟ ରାଜପଥ ରଡ଼ିଗୁମାରୁ ସିନାଗୁଡ଼ା ଯାଏ ଏକ କୋଟି ଅଶି ଲକ୍ଷ ବ୍ୟୟ ଅଟକଳରେ ରାସ୍ତା କାର୍ଯ୍ୟ ବାଲିଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବରା କରାଯାଇଥିଲା। ସମ୍ପୃକ୍ତ ଅଂଚଳ ଏକ ମାଓ ଇଲାକା ତଥା ଦୁର୍ଗମ ଅଂଚଳ ଭାବେ ପରିଗଣିତ ହେଉଥିବାରୁ ବଡ ବଡ ବାବୁମାନଙ୍କ ପାଦ ପଡ଼େନି ଏଠାରେ। ଏହାର ସୁଯୋଗ ନେଇ ଯନ୍ତ୍ରୀ ଓ ଠିକାଦାର ମିଶି ଉପର ଠାଉରିଆ ଭାବେ କିଛି କରି ସିଂହ ଭାଗ ଅର୍ଥ ଚଳୁ କରିଥିବା ନେଇ ଗ୍ରାମର ବିନୋଦ ଘଡେଇ, ଲେଙ୍ଗରା ପ୍ରଧାନ, ରମେଶ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଗ୍ରାମଵାସୀ ଲଗାତାର ନିର୍ବାହୀ ଯନ୍ତ୍ରୀ, ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଏନେଇ ଅଭିଯୋଗ କରିବା ପରେ କାଳେ ତଦନ୍ତ ହେବ ଆଉ ସବୁ ଗୁମର ଖୋଲିଯିବ ଭାବି ଯନ୍ତ୍ରୀ ଅଭିଯୋଗକୁ ରଫାଦଫା କରିବା ଲାଗି ଉଦ୍ୟମ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି।
ରାସ୍ତାକାମ ଏପରି ହୋଇଛି ଯେ, ଗୋଡ଼ ଘୋସାରିଲେ ଗୋଡ଼ି ଉଠିଯାଉଛି, ହାତରେ ରାମ୍ପିଲେ ବି ଉଠିଯାଉଛି ରାସ୍ତାରୁ ଗୋଡ଼ି। କୋଟଗଡ଼ରେ ସହକାରୀ ଯନ୍ତ୍ରୀ, କିମ୍ବା କନିଷ୍ଠ ଯନ୍ତ୍ରୀ ପ୍ରାୟତଃ ରହୁନାହାନ୍ତି । ବେଳେ ବେଳେ ଆସୁଛନ୍ତି। ସେଥିପାଇଁ ଠିକାଦାର ମାନଙ୍କ ମନମାନି ଚାଲିଛି । ଅଭିଯୋଗ କଲେ ଶୁଣୁଛି ଵା କିଏ ଦୁର୍ନିତୀ ନିବାରଣ ବିଭାଗ ମଧ୍ୟରାସ୍ତା କାମର ଭିତିରିଆ ତଦନ୍ତ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଉଛି। ସେହିପରି ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ନିକଟ କୁମ୍ଭାରୀଗାଁ ପଂଚାୟତର ସାରଗୁଡି -କାତିଙ୍ଗିଆ ରାସ୍ତା କାମରେ ବି ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହୋଇଥିବାନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି। ତେଵେ ବାଲିଗୁଡା ଆରଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ ଅଧିକା ପିସି ଦାବୀ କରିବା ଯୋଙ୍ଗୁ କାମ ସବୁ ନିମ୍ନ ମାନର ହେଉଥିବା ନେଇ ମାଳମାଳ ଅଭିଯୋଗ ପହଂଚିବାରେ ଲାଗିଛି । ଏଥିପ୍ରତି ବିଭାଗୀୟ ମନ୍ତ୍ରୀ, ସଚିବ, ଭିଜିଲାନ୍ସ କର୍ତୁପକ୍ଷ, ଜିଲାପାଳ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ।