କନ୍ଧମାଳ, କନ୍ଧମାଳ ଜିଲ୍ଲା ଫୁଲବାଣୀର ବହୁଚର୍ଚ୍ଚିତ କବିତା କହଁର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଉ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।
ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡାର ନବମ ଶ୍ରେଣୀ ନାବାଳିକା ଛାତ୍ରୀ କବିତା କହଁର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଦର ଥାନା ପୋଲିସ । ଶନିବାର ଅପରାହ୍ନରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ପୋଲିସ ଗୌଡ଼ପଡା ନିକଟସ୍ଥ ଡକାଙ୍ଗି ଗ୍ରାମର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ୍ ମଲ୍ଲିକ, ବତୀ ବେହେରା, ଶୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ଵନାଥ ମଲ୍ଲିକଙ୍କୁ ଗିରଫ କରିଛି । ଗତକାଲି ରାତି ୮ ଟା ବେଳେ ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି । କୋର୍ଟରେ ଜାମିନ ନାମଞ୍ଜୁର ହେବା ଫଳରେ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାମଲାରେ ପୂର୍ବରୁ ଗତ ୭ ତାରିଖରେ କବିତାଙ୍କ ପୁରୁଷ ବନ୍ଧୁ ସୁଦାମ କହଁରଙ୍କୁ ଗିରଫ କରିଥିଲା ପୋଲିସ ।
ସୂଚନାଯୋଗ୍ୟ ଯେ, ଜୁନ୍ ୧୫ ତାରିଖରେ ଗୌଡପଡାର ଛାତ୍ରୀ କବିତା ନିକଟସ୍ଥ ଗାଁ ଡକାଙ୍ଗିରେ ଥିବା ତାଙ୍କ ସାଙ୍ଗ ଘରକୁ ଯାଉଛି କହି ଘରୁ ବାହାରିଥିଲେ । ଏହାର ୩ ଦିନ ପରେ ଅର୍ଥାତ୍ ୧୮ ତାରିଖରେ ଫୁଲବାଣୀ ଆଇଟିଆଇ ନିକଟସ୍ଥ ଏକ ଆମ୍ବ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଛାତ୍ରୀଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଏ ସଂକ୍ରାନ୍ତରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା । ଘଟଣାର ଦିନକ ପରେ ଅର୍ଥାତ୍ ଜୁନ୍ ୧୯ ତାରିଖରେ ମୃତ ନାବାଳିକାଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା କରିଥିଲେ । ଏ ସଂକ୍ରାନ୍ତରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମୋହନାର କଂଗ୍ରେସ ବିଧାୟକ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ ଦାଶରଥୀ ଗମାଙ୍ଗଙ୍କ ନେତୃତ୍ଵରେ ଦଳର କେତେକ ବରିଷ୍ଠ କାର୍ଯ୍ୟକର୍ତା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ କନ୍ଧମାଳ ଏସପିଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ ଏବଂ ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ । ଏହା ସହିତ ଅଭିଯୁକ୍ତ ମାନଙ୍କ ଗିରଫ ଦାବୀ କରି ଗୁରୁବାର ଏବିଭିପି ପକ୍ଷରୁ ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ମାଦିକୁନ୍ଦା ଛକରୁଏକ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟରାସ୍ତା ଦେଇ ଆସି ଏସପି ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବରୁ କୁଇସମାଜ ପକ୍ଷରୁ ଗୀତାଞ୍ଜଳି କହଁରଙ୍କ ନେତୃତ୍ଵରେ ମଧ୍ୟ ଆଦିବାସୀ ମହିଳା ମାନେ ଏସପି ଅଫିସ ଘେରାଉ କରିଥିଲେ । ସେହିପରି ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମୃତ କବିତାଙ୍କ ପରିବାର ବର୍ଗଙ୍କୁ ଭେଟିବା ପରେ ଏ ସଂକ୍ରାନ୍ତରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବାର କାର୍ଯ୍ୟକ୍ରମ ରହିଛି ।