-
ମହାରାଷ୍ଟ୍ର ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ବି ଗ୍ରାମକୁ ଆସିଲା ନାହିଁ
ବଲାଙ୍ଗିର, ଗାଁର ଲୋକ ଗାଁରେ ରହିବେ, କାମ ଧନ୍ଦାର ଅଭାବ ରହିବନି, ପରିବାର ପ୍ରତିପୋଷଣ ପାଇଁ ଆଉ ବାହାର ରାଜ୍ଯକୁ ଦାଦନ ଖଟିବାକୁ ଯିବାକୁ ପଡିବନି। ମଣିଷ ଚାଲାଣ ରୋକିବାକୁ ଏମଜିଏନଆରଇଜିଏସ ଯୋଜନା ଠାରୁ ଆରମ୍ଭ କରି ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି। ହେଲେ ବଙ୍ଗୋମୁଣ୍ଡା ବ୍ଲକରେ ସତେ ଯେମିତି ଏମଜିଏନଆରଇଜିଏସ ଯୋଜନା ଉପହାସ ପାଲଟିଛି। ଅଧିକାଂଶ ସ୍ଥାନରେ ମଣିଷ ବଦଳରେ ମେସିନ କାମ କରୁଛି। ଯେମିତିକି ଉଦାହରଣ ସ୍ଵରୂପ ଜଳ ବିଭାଜିକା ତରଫରୁ ହେଉଥିବା ଫାର୍ମ ପଣ୍ଡ କାମ ବ୍ଲକ ଅଞ୍ଚଳରେ ଚାଲିଥିଲେ ହେଁ ଏ ବିଷୟରେ ନା ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଛି ଜାଣିଛନ୍ତି ନା କୃଷୀ ଅଧିକାରୀ । କେବଳ ଜାଣିଛନ୍ତି ପ୍ରୋଜେକ୍ଟ ଆସୋସିଏଟ କାହ୍ନୁ ମେହେର ଏହା ତ ଭାତ ହାଣ୍ଡିରୁ ଗୋଟିଏ ଭାତ ସଦୃଶ। ବିଭାଗିୟ ଅଧିକାରି ମାନେ ଖୁଲମଖୁଲ୍ଲା ଏ ପ୍ରକାର କାମକୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଯୋଗୁଁ ଏଠି କାମ ଖୋଜୁଥିବା ମଣିଷ ବାହାର ରାଜ୍ଯକୁ ଦାଦନ ଖଟି ଜିବାକୁ ମଜବୁର। ଆଉ ମଜବୁର ହୋଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଅନେକ ଶ୍ରମିକ ଆଉ ଜିବନ୍ତ ଫେରୁ ନାହାନ୍ତି ବରଂ ଶବ ହୋଇ ଗାଁକୁ ଫେରୁଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ।
ପୂର୍ବରୁ ବିଭିନ୍ନ ପଞ୍ଚାୟତ ସହ ଅଳଣ୍ଡା ପଞ୍ଚାୟତ ମୁଖ୍ୟାଳୟର ଜଣେ, ପିତାମହୁଲ ଗ୍ରାମର ଜଣେ, ଚୁଲିଫୁଙ୍କା ପଞ୍ଚାୟତର କନାବିରା ଗ୍ରାମର ଜଣେ ଯୁବକଙ୍କ ମହାରାଷ୍ଟ୍ରରେ ମୃତ୍ୟୁ ଘଟିଥିଲା । ସେହିପରି ଦେଢଗାଁର ଜଣେ ଯୁବକ କାମ କରିବାକୁ ଯାଇଥିବା ବେଳେ ପରବର୍ତୀ ସମୟରେ ତାଙ୍କ ଶବ ଗ୍ରାମକୁ ଫେରିଥିଲା । ଏଭଳି ଅନେକ ଘଟଣା ଘଟିଚାଲିଛି । ବର୍ତ୍ତମାନ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଭୂର୍ଷାଗୁଡା ଗ୍ରାମର ଜଣେ ଯୁବକ ମହାରାଷ୍ଟ୍ର କୁ କାମ କରିବାକୁ ଯାଇ ଛାତ ଉପରୁ ଖସିପଡି ପ୍ରାଣ ହରାଇଥିଲେ। ଭୁର୍ଷାଗୁଡା ଗ୍ରାମର ଅର୍ଜୁନ ସାହୁଙ୍କ ଏକମାତ୍ର ପୁଅ ଗଜାନନ ସାହୁ ପେଟପାଟଣା ପାଇଁ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଥିଲେ । ସେ ପ୍ରାୟ ଏକ ମାସ ପୂର୍ବରୁ ସେଠାକୁ କାମ କରିବାକୁ ଯାଇଥିଲେ । କାମ କରୁଥିବା ସମୟରେ ମଙ୍ଗଳବାର ଦିନ ଦଶ ମହଲା କୋଠାରୁ ତଳକୁ ଖସି ପଡିଥିଲେ । ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମହାରାଷ୍ଟ୍ର ର ଏମଜିଏମ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁବାର ଦିନ ଆହତ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇପଡିଛନ୍ତି । ମୃତ ଯୁବକ ଦୁଇ ବର୍ଷ ପୂର୍ବରୁ କଳାହାଣ୍ଡି ଜିଲ୍ଲା ରବନ୍ଧାଗାଁ ର ଜଣେ ଝିଅଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଶିଶୁ କନ୍ୟା ରହିଥିବା ଜଣାପଡିଛି । ରୋଜଗାରକ୍ଷମ ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକେ ବେସାହାରା ହୋଇପଡିଛନ୍ତି । ପରିବାର ଲୋକେ ସେଠାକୁ ଯାଇଥିବା ବେଳେ ଆର୍ଥିକ ପରିସ୍ଥିତି ସୁଦୃଢ଼ ନଥିବାରୁ ମୃତ ଯୁବକଙ୍କ ଶବକୁ ଫେରାଇ ଆଣି ନ ପାରି ସେଠାରେ ହିିଁ ଶେଷ କୃତ୍ୟ ସମ୍ପନ କରିଥିବା ଜଣାପଡିଛି ।