ଅନୁଗୋଳ,୫୫ ନମ୍ବର ଜାତୀୟ ରାଜପଥର ମରାମତି ଓ ସ୍ଥାୟୀ ନିର୍ମାଣ ଦାବିରେ ଅନୁଗୋଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ରାସ୍ତାରୋକ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ୬ ଘଂଟିଆ ରାସ୍ତାରୋକ କରାଯାଇଥିଲା । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅବରୋଧ ଜାରୀ ରହିଥିଲା । ଆନ୍ଦୋଳନ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟାରେ ମାଲବାହୀ ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହନ ଅଟକି ରହିଥିଲା । ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ବିଭିନ୍ନ ଛକରେ ଓକିଲ ସଂଘ ସହ ବିଭିନ୍ନ ସଂଗଠନର କର୍ମକର୍ତା ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ତେବେ ମଧ୍ୟାହ୍ନ ପରେ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ସ୍ଵାଭାବିକ୍ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ଅନୁଗୁଳର ଲାଇଫ ଲାଇନ କୁହାଯାଉଥିବା ୫୫ ନଂ ଜାତୀୟ ରାଜପଥ ଦେଇ ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ । ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଲାଣି । ଗୋଟିଏ ପଟେ ଟ୍ରାଫିକ ସମସ୍ୟା ଏବଂ ଅନ୍ୟ ଗୋଟିଏ ପକ୍ଷେ ରାସ୍ତା ମରାମତି ହେଉ ନ ଥିବାରୁ ସ୍ଥିତି ଜଟିଳ ହୋଇପଡିଛି ।