
ପୁରୀ, ରଥ ଯାତ୍ରାର ଶେଷ ପରେ ଏବେ ଆରମ୍ଭ ହୋଇଛି ରଥ ଭଙ୍ଗା କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଠାରୁ ସିଂହଦ୍ଵାରରେ ଦଣ୍ଡାୟମାନ ତିନି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ବିଶ୍ଵକର୍ମା ମହାରଣାଙ୍କ ତତ୍ଵାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ପର୍ଯ୍ୟାୟ କ୍ରମେ ତାଳଧ୍ଵଜ ଓ ନନ୍ଦିଘୋଷ ରଥ ଭଙ୍ଗାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ରଥଯାତ୍ରା ଜୁଲାଇ ୧ରେ ଆରମ୍ଭ ହୋଇ ଜୁଲାଇ ୯ ତାରିଖରେ ବାହାଡ଼ା ଯାତ୍ରା, ୧୦ ତାରିଖ ସୁନାବେଶ, ୧୧ ତାରିଖ ଅଧରପଣା ଏବଂ ୧୨ ତାରିଖ ନିଳାଦ୍ରୀ ବିଜେ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଭକ୍ତଯୁକ୍ତ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରଥଯାତ୍ରା ପରେ ରଥଗୁଡିକ ସିଂହଦ୍ଵାର ସମ୍ମୁଖରେ ରହିଥିଲା । ପରେ ରଥର କନକମୁଣ୍ଡି, ଓଲଟ ଶୁଆ ଓ ରଥକନା ଖୋଲା ଯାଇଥିଲା । ଆଜି ସକାଳ ଠାରୁ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।