-
ପଶ୍ଚିମବଙ୍ଗରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
-
ଟ୍ୟାକ୍ସି ଚଲାଉଥିବା ବିଜେପି ଏସସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ଣ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ
-
ନିକଟରେ ଲୋକାର୍ପିତ ହୋଇଥିବା କୋଲକାତା ମେଟ୍ରୋ ଷ୍ଟେସନର କଲେ ପରିଦର୍ଶନ
-
ମେଟ୍ରୋ ଟ୍ରେନରେ ସିଆଲଦାରୁ ଫୁଲବାଗାନ ପର୍ଯ୍ୟନ୍ତ କଲେ ଯାତ୍ରା
-
ଲୋକସଭା କୋର୍ କମିଟି ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
-
ସିବିଏସଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ
କୋଲାକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପଶ୍ଚିମବଙ୍ଗ ସରକାର ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ନକରିବା ପ୍ରସଙ୍ଗରେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି-2020(ଏନଇପି) ଲାଗୁ ହେବା ଦରକାର । ଚାକିରି ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପଶ୍ଚିମବଙ୍ଗର ମୂଳ ଆବଶ୍ୟକତା । ଏଠାରେ ଶିକ୍ଷା ଗୁଣାତ୍ମକ ହେବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବା ଉଚିତ୍ । ଏହା ହେଉଛି ମୂଳ ପ୍ରସଙ୍ଗ । ତେବେ ଆଗାମୀ ଦିନରେ ପଶ୍ଚିମବଙ୍ଗରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ନେଇ ଏଠାକାର ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯିବ । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବା ସହ ଏଥିରେ ଭାରତ ବିଶ୍ୱର ନେତୃତ୍ୱ ହେବ ଏବଂ ଜାତୀୟ ଶିକ୍ଷା ନୀତି ଏହାର ମୁଖ୍ୟ କ୍ୟାଟେଲିଷ୍ଟ ହେବ ।
ଏସଏସସି ଦୁର୍ନୀତିରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ମାମଲାରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଦେଶକୁ ପ୍ରେରିତ କରୁଥିବା ପଶ୍ଚିମବଙ୍ଗରେ ଆଜି ଉଚ୍ଚ ନ୍ୟାୟାଳୟ ଏବେକାର ପଶ୍ଚିମବଙ୍ଗ ସରକାରର କ୍ୟାବିନେଟ ମନ୍ତ୍ରୀ ତଥା ତତ୍କାଳୀନ ଶିକ୍ଷା ମନ୍ତ୍ରୀଙ୍କୁ ବିରୁଦ୍ଧରେ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ବାସଭବନରୁ ନଗଦ 21 କୋଟି ଟଙ୍କା ଜବତ ହେବା ଘଟଣାରେ ସେ ଗିରଫ ହୋଇଛନ୍ତି । ଏହି ଘଟଣା ପଶ୍ଚିମବଙ୍ଗର ବର୍ତ୍ତମାନର ସ୍ଥିତିକୁ ଦର୍ଶାଇଛି । ଏହା ଏକ ଗମ୍ଭୀର ପ୍ରସଙ୍ଗ । ପଶ୍ଚିମବଙ୍ଗ ସରକାର ଏକ ଦୁର୍ନୀତିଗ୍ରସ୍ତ ସରକାର । ପଶ୍ଚିମବଙ୍ଗ ସରକାର ଯୁବବର୍ଗଙ୍କୁ କେଉଁ ଦିଗରେ ନେବାକୁ ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଏହାବ୍ୟତିତ ମୋଦି ସରକାରଙ୍କ 8 ବର୍ଷର ଶାସନ ଓ ଗରିବ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ସେହିପରି ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଥିଲେ, ରାଷ୍ଟ୍ର ଓଡ଼ିଶାର ସାଧାରଣ ପରିବାରରୁ ଆସିଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦେଶର ସବୁ ରାଜ୍ୟର ଜନପ୍ରତିନିଧିମାନେ ଶ୍ରୀମତୀ ମୁର୍ମୁଙ୍କୁ ଅଭୁତପୂର୍ବ ସମର୍ଥନ ଦେଇଛନ୍ତି । ଏହା ଏକ ଖୁସିର ବିଷୟ ।
ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଟ୍ୟାକ୍ସି ଚଲାଉଥିବା ବିଜେପି ଏସସି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପୁଲକ ନସକରଙ୍କ ଘରେ ମଧ୍ୟାହ୍ଣ ଭୋଜନ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ମେଗା ଭିତ୍ତିଭୂମି ପ୍ରକଳ୍ପ ‘ଇଷ୍ଟ ଓ୍ୱେଷ୍ଟ ମେଟ୍ରୋ କୋରିଡ଼ର’ ଅନ୍ତର୍ଗତ ଲୋକାର୍ପିତ କୋଲକାତା ମେଟ୍ରୋ ଷ୍ଟେସନ ପରିଦର୍ଶନ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କ ସହ ମେଟ୍ରୋ ଟ୍ରେନରେ ସିଆଲଦାରୁ ଫୁଲବାଗାନ ପର୍ଯ୍ୟନ୍ତ କଲେ ଯାତ୍ରା କରିଥିଲେ ।
କୋଲକାତାର ଉତ୍ତର ନିର୍ବାଚନ ମଣ୍ଡଳି ଠାରେ ଅନୁଷ୍ଠିତ ଲୋକସଭା କୋର୍ କମିଟି ବୈଠକରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇଟି-ଇନଚାର୍ଜ ଏବଂ କୋଲକାତା ଉତ୍ତରର ସୋସିଆଲ ସ୍ୱେଚ୍ଛାସେବୀଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବୈଠକରେ ଜିଲ୍ଲା ପଦାଧିକାରୀ, କୋଲକାତା ଉତ୍ତର ନିର୍ବାଚନର ମଣ୍ଡଳ ସଭାପତି ଏବଂ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । କୋଲାକାତା ଠାରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।